ଫେସବୁକ୍‌ରେ ବିଜ୍ଞାପନ ପ୍ରକାଶ ପାଇଁ ସର୍ତ୍ତ ରଖିଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ଡାଟା ଲିକ୍‌ ନେଇ ଅଭିଯୋଗ ହେବା ପରେ ଫେସବୁକ ନିଜର ବିଜ୍ଞାପନ ନୀତିରେ ପରିବର୍ତ୍ତନ କରିଛି। ଏଣିକି ଫେସବୁକ୍‌ରେ ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ଦେଲେ ବିଜ୍ଞାପନଦାତାଙ୍କୁ ପ୍ରଥମେ ସମସ୍ତ ପ୍ରକାରର ପରିଚୟ ପତ୍ର ଦେବାକୁ ପଡ଼ିବ। ଏନେଇ କମ୍ପାନୀର ସଂସ୍ଥାପକ ମାର୍କ ଜୁକରବର୍ଗ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା, ମେକ୍ସିକୋ, ବ୍ରାଜିଲ୍, ଭାରତ ଓ ପାକିସ୍ତାନରେ ହେବାକୁ ଯାଉଛି। ଏହି ନିର୍ବାଚନ ସମ୍ପର୍କିତ ବିଜ୍ଞାପନ ଦେଲେ ପ୍ରଥମେ ଯାଞ୍ଚ କରିବାକୁ ପଡ଼ିବ। ଏଥିସହିତ ନିର୍ବାଚନ ସମୟରେ ବାହ୍ୟ ହସ୍ତକ୍ଷେପକୁ ଲଗାମ ଲଗାଇବା ଦିଗରେ ଗୁରୁତ୍ୱ ଦିଆଯିବା ବୋଲି କହିଛନ୍ତି ଜୁକରବର୍ଗ। ଏ.ଆଇ (ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ) ଟୁଲ ସାହାଯ୍ୟରେ ଏ ସମସ୍ତ କାର୍ଯ୍ୟ କରାଯିବା ବୋଲି କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।

ଯାଞ୍ଚ ପାଇଁ ବିଜ୍ଞାପନଦାତାଙ୍କୁ ନିଜ ପରିଚୟ ପତ୍ର ଓ ଠିକଣା ଦେବାକୁ ପଡ଼ିବ। ଯଦି ସମ୍ପୃକ୍ତ ବ୍ୟକ୍ତି ପରିଚୟପତ୍ର କିମ୍ବା ଠିକଣା ନ ଦିଅନ୍ତି ତେବେ ନିର୍ବାଚନ ସମ୍ବନ୍ଧୀୟ କୌଣସି ବି‌ଜ୍ଞାପନ ଗ୍ରହଣ କରାଯିବ ନାହିଁ ବୋଲି ମାର୍କ କହିଛନ୍ତି। ଏହି ବ୍ୟବସ୍ଥା ପ୍ରଥମେ ଆମେରିକାରେ ଲାଗୁ କରାଯିବ। ଓ ପରେ ଏହା ଅନ୍ୟ ଦେଶଗୁଡ଼ିକରେ ଲାଗୁ ହେବ। ଏଥିରେ ଏମିତି ଏକ ଟୁଲ୍‌ ରହିବ, ଯେଉଁଥିରେ ଫେସବୁକର ଯେ କୌଣସି ୟୁଜର ପେଜ୍‌ରେ ଥିବା ବଜ୍ଞାପନଗୁଡ଼ିକୁ ଦେଖିପାରିବେ। ଏଥିସହିତ ଯେଉଁ ପେଜରେ ଅଧିକ ଫଲୋଅର ଅଛନ୍ତି ସେମାନେ ମଧ୍ୟ ଯାଞ୍ଚ ପ୍ରକ୍ରିୟା କରିବେ ବୋଲି ମାର୍କ କହିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ୫ କୋଟି ଗ୍ରାହକଙ୍କ ଡାଟା ଚୋରାଇବା ଅଭିଯୋଗ ପରେ ଫେସବୁକ ଏବେ ସତର୍କ ହୋଇଛି।