ଏଣିକି ରାତି ୯ଟା ପରେ ବିବାହ ଉତ୍ସବ ମନା: ନିୟମ ନ ମାନିଲେ ମିଳିବନି ବିବାହ ପ୍ରମାଣପତ୍ର

ନୂଆଦିଲ୍ଲୀ:ଏଣିକି ରାତି ୯ଟାପରେ ବାଜିପାରିବନି ବର ଯାତ୍ରୀଙ୍କ ବ୍ୟାଣ୍ଡବାଜା। ଶୁଭିବନି ଡିଜେ ସାଉଣ୍ଡ। କାରଣ ଅଜଥା ଏବଂ ବ୍ୟୟବହୁଳ ଖର୍ଚ୍ଚରୁ ମୁକ୍ତି ପାଇଁ ବିବାହର ସମୟ ସୀମା ନେଇ ପରିବର୍ତ୍ତନ କରିଛି ୱାକଫ ବୋର୍ଡ଼।  ଏଣିକି ରାତି ୯ଟା ସୁଦ୍ଧା ବିବାହ ଉତ୍ସବ ସୀମିତ ରଖିବାକୁ ତେଲେଙ୍ଗାନା ରାଜ୍ୟ ୱାକଫ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ନିୟମକୁ ଅବମାନନା କଲେ ବିବାହ ପ୍ରମାଣପତ୍ର ମିଳିବ ନାହିଁ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ଗରିବ ଶ୍ରେଣୀର ମୁସଲିମ ପରିବାରଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେଇ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଆସନ୍ତା ୧ ଫେବୃଆରୀରୁ ଏହି ନିୟମ ଲାଗୁ ହେବ।

ବୋର୍ଡ଼ର ମୁଖ୍ୟ ମହମ୍ମଦ ସଲିମ କହିଛନ୍ତି ଯେ, ଯଦି କେହି କାଜି ପରମ୍ପରା ମୁତାବିକ ରାତି ୯ଟା ପରେ ବିବାହ ଉତ୍ସବ ଆୟୋଜନ  କରିବେ  ସେମାନଙ୍କୁ ନୋଟିସ ଜାରି କରାଯିବ। ଏଥିସହ ବିବାହ ପ୍ରମାଣପତ୍ର ନେଇ ବୋର୍ଡ଼ ପକ୍ଷରୁ ସୀକୃତି ଦିଆଯିବ ନାହିଁ ବୋଲି କୁହାଯାଇଛି। ଏ ସମ୍ପର୍କରେ ଏକ ସଚେତନମୂଳକ ଅଭିଯାନ ଆରମ୍ଭ ହେବ ବୋଲି କୁହାଯାଇଛି। ଏଥିରେ ମସଜିଦ୍‌ରେ ଇମାମ ମାନେ ଏ ସମ୍ପର୍କରେ ଅଧିକ ସଚେତନ କରିବେ ।

ବିଭିନ୍ନ ସାମାଜିକ ସଂସ୍ଥା ଏବଂ ସମାଜର ବୁଦ୍ଧିଜୀବୀମାନଙ୍କ ସହ ଆଲୋଚନା ହୋଇଥିଲା। ବିଳମ୍ବିତ ରାତିରେ ବିବାହ ଉତ୍ସବ ଆୟୋଜନ ସାଧାରଣ ଲୋକଙ୍କ ପାଇଁ ଏକ କଷ୍ଟକର ବ୍ୟାପାର ହୋଇଥିବା ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଥିଲା।  ତେଣୁ ବିଚାର ବିମର୍ଶ କରି ଏଭଳି ନିର୍ଣ୍ଣୟ ନିଆଯାଇଥିବା ବୋର୍ଡ଼ ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତିକୁ ତେଲେଙ୍ଗାନା ଏବଂ ଓଡ଼ିଶାର ଜମାତ-ଇ-ଇସଲାମିର ସଭାପତି ହମିଦ୍‌ ମହ୍ମମଦ ଖାନ୍  ସମର୍ଥନ କରିଛନ୍ତି।  ରାତି ଅଧରେ ଉଚ୍ଚ ସ୍ୱରରେ ମାଇକ୍‌ ବାଜିବା ଏବଂ ଆତସବାଜି କାର୍ଯ୍ୟକ୍ରମ ଅନ୍ୟମାନଙ୍କୁ ଅତିଷ୍ଠ କରିଥାଏ। ପଡ଼ୋଶୀ ଲୋକେ ଶାନ୍ତିରେ ଶୋଇପାରନ୍ତି ନାହିଁ ବୋଲି ସେ କହିଛନ୍ତି।ଅନ୍ୟପକ୍ଷରେ ଉପରୋକ୍ତ ନିଷ୍ପତ୍ତିକୁ ଅନ୍ୟ ଏକ ଇସଲାମିମକ୍‌ ବିଶାରଦ ବିରୋଧ କରିଛନ୍ତି। ତାଙ୍କ କହିବା ଅନୁଯାୟୀ  କାଜି ପରମ୍ପରା ସମ୍ପର୍କିତ କୌଣସି ନିଷ୍ପତ୍ତି ନେବାର ଅଧିକାର ୱାକଫ ବୋର୍ଡ଼ ପାଖରେ ନାହିଁ ବୋଲି କୁହାଯାଇଛି।