ବର୍ଗର୍‌ ପାଇଁ ଧାଡ଼ିରେ ଛିଡ଼ା ହେଲେ ବିଲ୍‌ ଗେଟ୍‌ସ୍‌, ସୋଶାଲ୍‌ ମିଡିଆରେ ଫଟୋ ଭାଇରାଲ୍‌

ୱାଶିଂଟନ୍‌: ବିଶ୍ୱର ସବୁଠାରି ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କମ୍ପାନୀର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ୍‌ଙ୍କୁ କିଏ ବା ନ ଜାଣେ। ଥରେ ଚିନ୍ତା କରନ୍ତୁ ତ ଯଦି ବିଶ୍ୱର ଏହି ସବୁଠାରୁ ଧନୀ ବ୍ୟକ୍ତି ନିଜ ମନପସନ୍ଦର ବର୍ଗର୍‌ ଖାଇବା ପାଇଁ ଧାଡ଼ିରେ ଛିଡ଼ା ହେବେ, ତେବେ କିପରି ଲାଗିବ।

କଥା ଟି ସତ । ନିକଟରେ ସୋଶାଲ୍‌ ମିଡିଆରେ ବିଲ୍‌ ଗେଟସ୍‌ଙ୍କର ଏହିପରି ଏକ ଫଟୋ ଭାଇରାଲ୍ ହୋଇଛି, ଯାହାକୁ ଦେଖିବା ପରେ ଅନେକ ୟୁଜର୍‌ ବିଲ୍‌ ଗେଟ୍‌ସ୍‌ଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଫଟୋରେ ବିଲ୍‌ ଗେଟସ୍‌ ଏକ ମେରୁନ୍‌ କଲର୍‌ ସ୍ୱେଟର୍‌ ଓ ଗ୍ରେ କଲର୍‌ ପ୍ୟାଣ୍ଟ୍‌ ପିନ୍ଧି ଲାଇନ୍‌ର ଛିଡ଼ା ହୋଇଥିବା ଦେଖାଯାଇଛି। ମାଇକ୍‌ ଗୋଲସ୍‌ ନାମକ ଜଣେ ଫେସ୍‌ବୁକ୍‌ ୟୁଜର୍‌ ତାଙ୍କର ଏହି ଫଟୋକୁ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି।

ମାଇକ୍‌ ଏହି ଫଟୋକୁ ଶେଆର୍ କରି ଲେଖିଛନ୍ତି, “ଯେତେବେଳେ ଆପଣଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିବ ଏବଂ ଆପଣ  ବିଶ୍ୱ ଇତିହାସରେ ସବୁଠାରୁ ବଡ଼ ଚ୍ୟାରିଟିକୁ ଚଲାଉଥିବେ, କିନ୍ତୁ ଅନ୍ୟମାନଙ୍କ ପରି ବର୍ଗର୍‌ ଖାଇବା ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିବେ।“

୨୦୧୧ରେ ବିଲ୍ ଗେଟ୍‌ସ୍‌ ଥରେ କହିଥିଲେ, “ମୁଁ ବୁଝି ପାରୁଛି ଯେ ସ୍ୱତନ୍ତ୍ରତା ଓ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ଲକ୍ଷ ଲକ୍ଷ ଡଲାର୍‌ ଆବଶ୍ୟକ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ, ଆମେ ଖାଇବାକୁ ଇଚ୍ଛା କରୁଥିବା ବର୍ଗର୍‌ ମୂଲ୍ୟକୁ ଦୋକୀନୀ ପରିବର୍ତ୍ତନ କରେ ନାହିଁ। ଆମେ ଯେତେ ଆଗକୁ ଗଲେ ମଧ୍ୟ ବର୍ଗର୍‌ର ମୂଲ୍ୟ ସମାନ ରହିଥାଏ।“

ସୋଶାଲ୍‌ ମିଡିଆରେ ବିଲ୍‌ ଗେଟସ୍‌ଙ୍କର ଏହି ଫଟୋ ଭାଇରାଲ ହେବା ପରେ ବହୁ ୟୁଜର୍‌ ବିଲ୍‌ଙ୍କୁ ଢେର୍ ତାରିଫ୍‌ କରିବା ସହ ସୋଶାଲ୍‌ ମିଡିଆରେ ତାଙ୍କର ବନ୍ଧୁ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 
ବର୍ଗର୍‌ ଖାଇବାକୁ ଭଲ ପାଉଥିବା ବିଲ୍‌ ଗେଟସ୍‌ଙ୍କ ଜଣେ ବିନମ୍ର ସ୍ୱଭାବର ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା।

ପୂର୍ବରୁ ବିଲ୍‌ଙ୍କୁ ବହୁ ବାର ଫ୍ଲାଇଟ୍‌ରେ ଇକୋନମୀ କ୍ଲାସ୍‌ରେ ଯାତ୍ରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି।