ସୁଜାତ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଚିହ୍ନଟ: ହାଫିଜ ସଇଦ ଦେଇଥିଲା ନିର୍ଦ୍ଦେଶ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୋଲିସକୁ ବଡ଼ ସଫଳତା ମିଳିଛି। ରାଇଜିଂ କାଶ୍ମୀରର ମୁଖ୍ୟ ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତକୁ ପୋଲିସ୍ ଚିହ୍ନଟ କରିଛି। ଅଭିଯୁକ୍ତ ଜଣକ ହେଲା ସୁଜ୍ଜାତ ଗୁଲ (୪୮)। ସେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗ୍ରଠନର ସଦସ୍ୟ।

ହାଫିଜ ସଇଦ ଦେଇଥିଲା ନିର୍ଦ୍ଦେଶ: ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି, ସୁଜାତଙ୍କୁ ହତ୍ୟା କରିବାକୁ ଗୁଲକୁ ହାଫିଜ ସଇଦ ନିର୍ଦ୍ଦେଶ ଦେଇଥିଲା। ସ୍ଥାନୀୟ ଆତଙ୍କବାଦୀଙ୍କ ଜରିଆରେ ସୁଜାତଙ୍କୁ ହତ୍ୟା କରିବାକୁ ଗୁଲକୁ କୁହାଯାଇଥିଲା। ନିର୍ଦ୍ଦେଶ ମିଳିବା ପରେ ଗୁଲ ହତ୍ୟାକାଣ୍ଡର ଯୋଜନା କରିଥିଲା। ପରେ କାଶ୍ମୀରର କିଛି ଆତଙ୍କବାଦୀଙ୍କୁ ଏହି କାମ କରିବାକୁ କହିଥିଲେ।

ଏମ୍‌ବିଏ ପାସ୍‌ କରିଥିଲା ମାଷ୍ଟରମାଇଣ୍ଡ: ଗୋଇନ୍ଦା ବିଭାଗ ଅନୁସାରେ, ଗୁଲ କାଶ୍ମୀର ବାସିନ୍ଦା। ପାଞ୍ଚ ବର୍ଷ ପୂର୍ବରୁ ସେ ପାକିସ୍ତାନ ପଳାଇ ରାୱାଲପିଣ୍ଡି ରହୁଥିଲା। ସେ ବେଙ୍ଗଲୁରରୁ ଏକ ଘରୋଇ ସଂସ୍ଥାରେ ଏମବିଏ କରିଥିଲା। ଏହାସହ ସେ ଲାବୋରେଟୋରୀ ଟେକ୍ନିସିଆନ ଭାବେ ମଧ୍ୟ କାମ କରିଛି।

ଅସ୍ତ୍ରବିରତିକୁ ସମର୍ଥନ କରିବାରୁ ଟାର୍ଗେଟ୍‌

ଭାରତ ସରକାର ରମଜାନ୍ ମାସରେ ଅସ୍ତ୍ରବିରତି ଘୋଷଣା କରିଥିଲେ। ଏହାକୁ ସୁଜାତ ସମର୍ଥନ କରିଥିଲେ। ଫଳରେ ସେ ଲସ୍କର ଓ ପାକିସ୍ତାନର ଆତଙ୍କୀ ସଂଗଠନ ତାଙ୍କୁ ଟାର୍ଗେଟକୁ ଆସିଥିଲେ।

ଭାରତରେ ଜେଲ୍‌ ଯାଇଥିଲା ଗୁଲ: ପୋଲିସ ଫାଇଲ ଅନୁସାରେ, ଗୁଲ ପାକିସ୍ତାନ ଯିବା ପୂର୍ବରୁ ଗିରଫ ହୋଇଥିଲା। ତାକୁ ଶ୍ରୀନଗର କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା। ପରେ ତାକୁ ଦିଲ୍ଲୀ ତିହାଡ଼ ଜେଲରେ ସ୍ଥାନାନ୍ତର କରାଯାଇଥିଲା।

ବ୍ଲଗ୍‌ ବନାଇ ଶାନ୍ତି କର୍ମୀଙ୍କୁ ବଦନାମ କରୁଥିଲା: ପୋଲିସ ଆହୁରି କିହିଛି ଯେ ଗୁଲ ଏକ ବ୍ଲଗ ବନାଇଥିଲା। ଏହା ମାଧ୍ୟମରେ ସେ ସୁଜାତଙ୍କୁ ବଦନାମ କରୁଥିଲା। ଏଥିରେ ସେ ସୁଜାତଙ୍କୁ ବିଶ୍ୱାସଘାତକ ଦର୍ଶାଇ ଥିଲା।  ଏହାଦ୍ୱାରା କାଶ୍ମୀରର ଅନ୍ୟ ସାମ୍ବାଦିକ, ଶାନ୍ତି କାର୍ଯ୍ୟକର୍ତ୍ତା, ‘ର’ ଓ ଅନ୍ୟ କିଛି ଅଧିକାରୀଙ୍କୁ ଟାର୍ଗେଟ କରୁଥିଲା।