ମାଥ୍ୟୁ ଘୂର୍ଣ୍ଣିବଳୟ: ହୈତିରେ ମୃତ୍ୟୁ ସଂଖ୍ୟା ୮୦୦ ଛୁଇଁଲା

ୱାଶିଂଟନ୍‌: ଆମେରିକା ମହାଦ୍ୱୀପରେ ମାଥ୍ୟୁ ଘୂର୍ଣ୍ଣିବଳୟ ତାଣ୍ଡବ ମଚାଇଛି। ହୈତିରେ ଘୂର୍ଣ୍ଣିବଳୟ ପ୍ରଭାବରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ଥିବା ବେଳେ ଆମେରିକାର ଅନେକ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଛି।  ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ  ସ୍ଥାନାନ୍ତର କରାଯାଉଛି । ଏହାସହିତ କେତେକ ରାଜ୍ୟର ଭିତ୍ତିଭୂମି ସୁବିଧା ନଷ୍ଟ ହୋଇଯାଇଛି।

ଆମରିକାରେ ପ୍ରାୟ ୧୨ ଲକ୍ଷ ଲୋକ ବିଦ୍ୟୁତ୍‌ ସରବରାହରୁ ବଞ୍ଚିତ ହୋଇଥିବା ବେଳେ ୩,୮୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।

ଘୂର୍ଣ୍ଣିବଳୟ ଯୋଗୁଁ ଫ୍ଲୋରିଡାରେ ପ୍ରତି ଘଣ୍ଟାରେ ୧୯୫ କିଲୋମିଟର ବେଗରେ ପବନ  ବହିବା ସହ ପ୍ରବଳ ବର୍ଷା ହେଉଛି। ଜାର୍ଜିୟା ଓ ଦକ୍ଷିଣ କେରୋଲିନା ଅଞ୍ଚଳରେ ପ୍ରବଳ ବେଗରେ ପବନ ବହୁଛି। ଏଥିପାଇଁ ଫୋର୍ଟ ଲାଉଡର୍ଡଲ୍‌ ହଲିଉଡ୍‌ ବିମାନବନ୍ଦରରକୁ ୨୦୦୫ ପରେ ପ୍ରଥମ ଥର ପାଇଁ ବନ୍ଦ କରାଯାଇଛି। ଫ୍ଲୋରିଡ଼ାରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।