ଆସିଲା ଖରାପ ଖବର:୧୯ ସୁଦ୍ଧା ୭୭ ପ୍ରତିଶତ ଭାରତୀୟଙ୍କ ପାଖରେ ଚାକିରି ନ ଥିବ

ନୂଆଦିଲ୍ଲୀ: ଆସିଲା ଖରାପ ଖବର। ୨୦୧୯ ସୁଦ୍ଧା ଦ୍ରୁତ ହାରରେ ନିଯୁକ୍ତି  କମିବ। ସେହିପରି ବିଭିନ୍ନ କାରଣକୁ ନେଇ ଛଟେଇ ମଧ୍ୟ ବଢିବ।  ଜବ୍‌ର ମାନ ବଢିବ ନାହିଁ। ଏମିତି କିଛି ଆକଳନ କରିଛି ଅନ୍ତର୍ଜାତିକ ଶ୍ରମିକ ସଂଘ(ଆଇଏଲ୍‌ଓ)। ଦେଶରେ ବେରୋଜଗାରକୁ ନେଇ ଅନେକ ସମସ୍ୟା ଦେଖାଦେଇଥିବା ବେଳେ ମୋଦି ସରକାରଙ୍କ ପାଇଁ ଏହା ଆଉ ଏକ ନିରାଶଜନକ ଖବର ବୋଲି କୁହାଯାଉଛି।

ଆଇଏଲ୍‌ଓ ତା’ର ରିପୋର୍ଟରେ କହିଛି ଯେ, ୨୦୧୯ ସୁଦ୍ଧା ୭୭ ପ୍ରତିଶତ ଭାରତୀୟ ରୋଜଗାରିଆଙ୍କ ପାଖରେ ଚାକିରି ନ ଥିବ। ଆଇଏଲଓ ପକ୍ଷରୁ ୱାର୍ଲଡ ଏମ୍ପ୍ଲଏମେଣ୍ଟ ଆଣ୍ଡ ସୋସିଆଲ ଆଉଟ୍‌ ଲୁକ ରିପୋର୍ଟରେ କୁହାଯାଇଛି ଯେ, ୨୦୧୭ ରୁ ୨୦୧୯ ଭିତରେ ଭାରତ ସହ ଦକ୍ଷିଣ ଏସୀୟ ଦେଶମାନଙ୍କରେ ପାଖାପାଖି ୨.୩ କୋଟି ଚାକିରି ସୃଷ୍ଟି ହେବ। କିନ୍ତୁ ବେକାରୀ ସଂଖ୍ୟାଙ୍କ ତୁଳନାରେ ଏହି ନିଯୁକ୍ତି ସୁଯୋଗ ଯଥେଷ୍ଟ ନୁହଁ। ସେହିପରି ଏହି ସମୟରେ ରୋଜଗାର ବଢ଼ିପାରେ। କିନ୍ତୁ କ୍ୱାଲିଟି ଚାକିରି ମିଳିବ ନାହିଁ। ଏହି ସମୟରେ ବାହାରୁଥିବା ଜବ୍‌ ଗୁଡ଼ିକ  ଉନ୍ନତମାନର ହେବନି। ଆକଳନ ଅନୁଯାୟୀ ଏହି ସମୟରେ  ସମଗ୍ର ଏସିଆରେ ଅଧାରୁ ଅଧିକ ଲୋକେ ବେରୋଜଗାର ପାଲଟିଯିବେ।

ରିପୋର୍ଟରେ କୁହାଯାଇଛି ଯେ, ୨୦୧୯ ସୁଦ୍ଧା ୫୩.୫ କୋଟି କୁଶଳୀ ଲୋକଙ୍କ ପାଖରେ ଭଲ ଚାକିରିଟିଏ ନ ଥିବ। ଆମେରିକାର ଏବେ ଅର୍ଥନୈତିକ ମାନ୍ଦାବସ୍ଥା ଚାଲିଥିବା ବେଳେ ଏହାର ପ୍ରଭାବ ଅନ୍ୟ ରାଷ୍ଟ୍ରରେ ପଡ଼ିବ ବୋଲି କୁହାଯାଉଛି। ଫଳରେ ଆର୍ଥିକ ସଂସ୍ଥାଗୁଡ଼ିକ କ୍ଷତିରେ ପଡ଼ିବା ଆଶଙ୍କା ରହିଛି। ଏହି କାରଣରୁ ଚାକିରି ଛଟେଇ ବଢିପାରେ ବୋଲି କୁହାଯାଉଛି।