ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ ମାୟାବତୀ

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାର, ୟୁପି ସରକାର ଏବଂ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଦେଶର ଜନତା କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରୁଛନ୍ତି। ଭାରତୀୟ ଜନତା ପାର୍ଟିର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି।

ଅନ୍ୟ ପଟେ ସମାଜବାଦୀ ପାର୍ଟିକୁ ଆକ୍ଷେପ କରି ସେ କହିଛନ୍ତି, “ଉତ୍ତର ପ୍ରଦେଶରେ ଆଇନ୍‌ ବ୍ୟବସ୍ଥା ଅଟକି ଯାଇଛି। ୟୁପିରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୫୦୦ ଦଙ୍ଗା ହୋଇ ସାରିଲାଣି। ମୁଲାୟମ ସିଂ ପୁତ୍ର ମୋହର ନାଟକ କରୁଛନ୍ତି। ଅଖିଳେଶଙ୍କ ଦାଗୀ ଚେହେରାକୁ ମୁଲାୟମ ସଫା କରିବାକୁ ଚେଷ୍ଟା କରୁଛନ୍ତି। ପୁତ୍ର ମୋହରେ ଶିବପାଲ ଯାଦବ ମୁଲାୟମଙ୍କ ଶିକାର ପାଲଟି ଯାଇଛନ୍ତି। ବିଏସପିକୁ ଅଟକାଇବା ପାଇଁ ଷଡଯନ୍ତ୍ର କରାଯାଉଛି। ସମାଜବାଦୀ ପାର୍ଟି ଗୋଟେ ବୁଡ଼ି ଯାଉଥିବା ଡଙ୍ଗା ସଦୃଶ।

ସେ ଆହୁରି କହିଛନ୍ତି, କଂଗ୍ରେସର ଅବସ୍ଥା ମଧ୍ୟ ଖୁବ୍‌ ଖରାପ। ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ନିକଟରେ ପ୍ରାର୍ଥୀର ଅଭାବ ରହିଛି। ଯେଉଁ ପ୍ରକାର ଭାବେ କଂଗ୍ରେସ ଅଖିଳେଶଙ୍କ ଆଗରେ ମୁଣ୍ଡ ନୁଆଁଇଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କଂଗ୍ରେସ ନିଜକୁ ଦୁର୍ବଳ ମନେ କରୁଛି।