ଇସ୍ତଫା ଦେଲେ ମେଘାଳୟ ରାଜ୍ୟପାଳ

ନୂଆଦିଲ୍ଲୀ: ଯୌନ ବ୍ୟଭିଚାର ବିବାଦ ପରେ ଗୁରୁବାର ରାତିରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ମେଘାଳୟ ରାଜ୍ୟପାଳ ଭି.ଶନମୁଗନାଥନ। ସେ ରାଜଭବନରେ ୟଙ୍ଗ୍ ଲେଡିଜ୍‌କ୍ଲବ୍‌ଖୋଲିଥିବା ଅଭିଯୋଗ ଆଣିଥିଲେ ମେଘାଳୟ ରାଜଭବନର କର୍ମଚାରୀ। ରାଜ ଭବନର ପ୍ରାୟ ୧୦୦ ଜଣ କର୍ମଚାରୀ ଏନେଇ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ପତ୍ର ଲେଖି ରାଜ୍ୟପାଳଙ୍କୁ ହଟାଇବା ଲାଗି ଅନୁରୋଧ କରିଥିଲେ। ଭି.ଶନମୁଗନାଥନ ରାଜଭବନର ଗାରିମାକୁ ନଷ୍ଟ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।

ରାଜଭବନର କର୍ମଚାରୀଙ୍କ କହିବା ଅନୁଯାୟୀ ଭି.ଶନମୁଗନାଥନଙ୍କ ନିର୍ଦ୍ଦେଶରେ ରାଜଭବନକୁ ଯୁବତୀମାନଙ୍କର ଅବାଧ ଯିବାଆସିବା ଚାଲିଥିଲା। ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟପାଳଙ୍କ ବେଡ୍‌ରୁମ୍‌କୁ ଅବାଧରେ ଯାଉଥିଲେ।

ଭି.ଶନମୁଗନାଥନଙ୍କ ନାଁରେ ଜଣେ ମହିଳା ଅସଦାଚରଣ ଅଭିଯୋଗ ମଧ୍ୟ ଆଣିଥିଲେ। ରାଜଭବନରେ ଚାକିରି ପାଇଁ ସେ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ଭି.ଶନମୁଗନାଥନ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଥିଲେ।