ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଓମାର ଓ ମେହବୁବା

ଶ୍ରୀନଗର: ଅଗଷ୍ଟ ୫ରୁ ଅଟକ ଥିବା ପୂର୍ବତନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କୁ ସରକାର ଛାଡ଼ିବା ପାଇଁ ରଖିଥିବା ସର୍ତ୍ତକୁ ଉଭୟ ଅଗ୍ରାହ୍ୟ କରିଦେଇଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଉଭୟଙ୍କୁ ଏକ ହୋଟେଲରେ ଅଟକ ରଖାଯାଇଛି।

ଏବେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଉଭୟ ଓମାର ଏବଂ ମେହେବୁବାଙ୍କୁ ସେମାନଙ୍କ ଘରକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ଯଦି ସେମାନେ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି ନ କରିବା ପାଇଁ ନିଜର ସମର୍ଥକମାନଙ୍କୁ କହିବେ, ତା’ହେଲେ ସେମାନଙ୍କୁ ଗୃହବନ୍ଦୀରୁ ମୁକ୍ତ କରାଯିବ। ତେବେ ଉଭୟ ଏହାକୁ ଗ୍ରହଣ କରି ନାହାନ୍ତି। ଫଳରେ ଉଭୟଙ୍କ ଅଟକ ମିଆଦିକୁ ବୃଦ୍ଧି କରାଯାଇଛି।

ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ଦିନଠାରୁ ହିଁ ଏମାନଙ୍କୁ ଗୃହବନ୍ଦୀ କରାଯାଇଛି। ପ୍ରାଥମିକ ଅବସ୍ଥାରେ ଏହି ଦୁଇ ନେତାଙ୍କୁ ଶ୍ରୀନଗର ଠାରେ ଥିବା ହରି ନିୱାସ ପ୍ୟାଲେସରେ ଅଟକ ରଖାଯାଇଥିଲା। ସେଠାରେ ଓମାର ଏବଂ ମେହେବୁବାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ପୃଥକ ପୃଥକ ଗେଷ୍ଟ ହାଉସ୍‌ରେ ଅଟକ ରଖାଯାଇଛି।