ସୋନଭଦ୍ରାର ପୀଡ଼ିତ ପରିବାରଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ: ଶେଷରେ ଉତ୍ତର ପ୍ରଦେଶ ସୋନଭଦ୍ରା ଗୁଳିକାଣ୍ଡର ଶିକାର ହୋଇଥିବା ପରିବାରକୁ ଭେଟିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା। ମିର୍ଜାପୁରର ଚୁନାର ଗେଷ୍ଟ ହାଉସରେ ଅଟକ ଥିବା ପ୍ରିୟଙ୍କାଙ୍କ ପାଖକୁ ପୀଡିତଙ୍କ ପରିବାରର ଲୋକେ ଆଜି ଆସି ଭେଟିଛନ୍ତି। ପୀଡ଼ିତଙ୍କ ପରିବାରର ୨ ଜଣଙ୍କୁ ପ୍ରିୟଙ୍କା ଭେଟିଥିବା ବେଳେ ବାକି ୧୫ ଜଣ ପରିବାରର ସଦସ୍ୟଙ୍କୁ ଭେଟିବାକୁ ଦିଆଯାଉନଥିବା ସେ କହିଛନ୍ତି।

ପୀଡ଼ିତଙ୍କ ପରିବାର ପ୍ରିୟଙ୍କା ଭେଟି ସାରିବା ପରେ କଂଗ୍ରେସ ଦଳ ପକ୍ଷରୁ ପୀଡିତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଜଣାପଡ଼ିଛି। ଏକକାଳୀନ ୧୦ ଜଣଙ୍କୁ ହତ୍ୟା ନେହରୁଙ୍କ ବେଳେ ନୁହେଁ, ବରଂ ଯୋଗୀ ସରକାରଙ୍କ ବେଳେ ଘଟିଛି ବୋଲି ପ୍ରିୟଙ୍କା କହିଛନ୍ତି। ଏଥିସହିତ ପୀଡିତଙ୍କ ପରିବାରକୁ ରାଜ୍ୟ ସରକାର ପରିବାର ପିଛା ୨୫ ଲକ୍ଷ, ଫାଷ୍ଟ୍ର ଟ୍ରାକ କୋର୍ଟ ସାହାଯ୍ୟରେ ମାମଲାର ଶୀଘ୍ର ଶୁଣାଣି ଏବଂ ପୀଡ଼ିତଙ୍କ ପରିବାର ବିରୋଧରେ ଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭାଡ୍ରା।

ସୂଚନାଯୋଗ୍ୟ, ଜମି ବିବାଦକୁ ନେଇ ଜୁଲାଇ ୧୭ରେ ଉତ୍ତର ପ୍ରଦେଶର ସୋନଭଦ୍ରାରେ ହୋଇଥିବା ସଂଘର୍ଷରେ ୧୦ ଜଣ  ଗୁଳିର ଶିକାର ହୋଇଥିଲେ। ଏବେ ଏହାକୁ ନେଇ ୟୁପି ରାଜନୀତି ସରଗରମ ହୋଇଛି। ଗତକାଲି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା ମଧ୍ୟ ସୋନଭଦ୍ରା ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୋନଭଦ୍ରା ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଥିବାରୁ ପ୍ରିୟଙ୍କା ୪ ଜଣଙ୍କୁ ଏକା ସାଙ୍ଗରେ ନେଇ ଯାଇପାରିବେ ନାହିଁ ବୋଲି ପୁଲିସ କହିଥିଲା। ଏହାପରେ ପୁଲିସ  ପ୍ରିୟଙ୍କାଙ୍କୁ ଅଟକ ରଖିଥିଲା।

ପୀଡ଼ିତଙ୍କ ପରିବାରକୁ ନ ଭେଟିଲେ ସେ ସେହି ସ୍ଥାନ ଛାଡ଼ି ଯିବେ ନାହିଁ ବୋଲି ଜିଦ୍ ଧରିଥିଲେ। ଏହାପରେ ରାତିରେ ୟୁପି ପୁଲିସ ଅଧିକାରୀ ଆସି ପ୍ରିୟଙ୍କାଙ୍କୁ ଭେଟିଥିଲେ ଏବଂ କୌଣସି ମିଟିଂ ନ କରି ଫେରିଯିବା ପାଇଁ ଅନୁରୋଧ କରିଥିଲେ ବୋଲି ପ୍ରିୟଙ୍କା ବିଳମ୍ୱିତ ରାତ୍ରିରେ ଟ୍ୱିଟ୍ କରି କହିଥିଲେ। ତେବେ ପ୍ରିୟଙ୍କା ଜିଦରେ ଅଟଳ ରହିବାରୁ ଆଜି ପୀଡ଼ିତଙ୍କ ପରିବାର ସଦସ୍ୟଙ୍କୁ ଗେଷ୍ଟ ହାଉସ ଆଣି ପ୍ରିୟଙ୍କାଙ୍କ ସହ ଦେଖା କରାଇ ଦେବା ପାଇଁ ୟୁପି ପୁଲିସ ଚେଷ୍ଟା କରିଥିଲା ବୋଲି ଜଣାପଡ଼ିଛି।

ପୀଡିତଙ୍କ ପରିବାରକୁ ପ୍ରିୟଙ୍କା ଭେଟି ସାରିବା ପରେ ଉତ୍ତର ପ୍ରଦେଶର ଜଣେ ଅଫିସର ପ୍ରତିକ୍ରିୟାରେ କହିଛନ୍ତି, ପ୍ରିୟଙ୍କା ଏବ ଯୁଆଡ଼େ ଚାହିଁବେ ଯାଇ ପାରିବେ।