ମେକ୍ସିକୋ ବାଣବଜାରରେ ବିସ୍ଫୋରଣ: ୨୯ ମୃତ, ୭୦ରୁ ଅଧିକ ଆହତ

ଏଣ୍ଟିଟି: ମେକ୍ସିକୋର ବାଣବଜାରରେ ଭୟାବହ ବିସ୍ଫୋରଣ ଘଟି ୨୯ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ଘଟିଛି।

ବିସ୍ଫୋରଣରେ ପ୍ରାୟ ୭୦ରୁ ଅଧିକ ଆହତ ହୋଇଛନ୍ତି। ମେକ୍ସିକୋ ଉପକଣ୍ଠ ଟ୍ୟୁଟ୍‌ପେକରେ ଥିବା ବାଣବଜାରରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଟ୍ୟୁଟ୍‌ପେକ ଆକାଶ ପୁରା ଧୂଆଁମୟ ହୋଇଯାଇଥିଲା। ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ଆଗକୁ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ଥିବାରୁ ବିକ୍ରି ପାଇଁ ବଜାରରେ ବିପୁଳ ପରିମାଣର ବାଣ ମହଜୁଦ ରଖାଯାଇଥିଲା। ବାଣ କିଣିବାକୁ ବଜାରରେ ଗ୍ରାହକଙ୍କ ପ୍ରବଳ ଭିଡ ମଧ୍ୟ ଲାଗିଥିଲା। ଏହି ସମୟରେ ବିସ୍ଫୋରଣ ହୋଇଥିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଉଦ୍ଧାର କାର୍ଯ୍ୟରେ ସେନାବାହିନୀକୁ ମୁତୟନ କରାଯାଇଛି।