ମେକ୍ସିକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୩୨ ଛୁଇଁଲା, ୩ ମିଟରର ସୁନାମୀ ସତର୍କତା

ମେକ୍ସିକୋ : ମେକ୍ସିକୋରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୩୨ରେ ପହଞ୍ଚିଛି। ଏଥିରେ ୨ ଜଣ ଶିଶୁ ଅଛନ୍ତି। ଭୂକମ୍ପ ପରେ ସମୁଦ୍ରରେ ୩ ମିଟର ଉଚ୍ଚର ସୁନାମୀ ଆସିବା ନେଇ ସତର୍କତା ଜାରି କରାଯାଇଛି। ଏହାସହ ଆଫ୍ଟର ସକ୍‌ ପାଇଁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ତେବେ ସାମୋଆ ଓ ହାୱାଇ ସହର ପାଇଁ ସୁନାମୀ ଆଶଙ୍କା ନ ଥିବା କୁହାଯାଇଛି।

ଗୁରୁବାର ହୋଇଥିବା ଏହି ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୮.୧ ରେକର୍ଡ କରାଯାଇଥିଲା। ମେକ୍ସିକୋର ଦକ୍ଷିଣରେ ଥିବା ପିଜଜିପାନ ସହର ଭୂକମ୍ପର କେନ୍ଦ୍ରସ୍ଥଳ ବୋଲି ପାସିଫିକ୍ ସୁନାମି ଓ୍ୱାର୍ନିଂ ସେଣ୍ଟର କହିଛି। ଏହାର ପ୍ରଭାବରେ ଦକ୍ଷିଣ ମେକ୍ସିକୋର ବହୁ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି। ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ପ୍ରୟାସ ଜାରି ରହିଛି।