ଖାଲି ବାଦଲ ନୁହେଁ ବରଫ ଚୋରିର ଅପବାଦ ଲଗାଇଲା ଏହି ଦେଶ, ହେଲେ କ’ଣ ପାଇଁ !

ଆପଣ କୌଣସି ଦାମୀ ଜିନିଷ ଚୋରି ହେବା କଥା ତ ଅନେକ ଥର ଶୁଣିଥିବେ। ହେଲେ କେବେ ବାଦଲ ଓ ବର୍ଷା ଚୋରି ହେବା କଥା ଶୁଣିଛନ୍ତି କି? ଆଜ୍ଞା ହଁ, ଏମିତି ଅଭିଯୋଗ ଆସିଛି। ଆଉ ଏହି ଚୋରି ଅପବାଦ ଲାଗିଛି ଇସ୍ରାଏଲ ଉପରେ। ଇରାନ୍‌ର ଜଣେ ବ୍ରିଗେଡିୟର ଜେନେରାଲ ଇସ୍ରାଏଲ ଉପରେ ଏଭଳି ଦୋଷ ଲଦିଛନ୍ତି। ନିଜ ଦେଶରୁ ବାଦଲ ଓ ବରଫ ଚୋରି ହେଉଥିବା ଅଭିଯୋଗ କରି ସେ କହିଛନ୍ତି ଇସ୍ରାଏଲ ଇରାନ୍‌ର ପାଣିପାଗ ସହ କିଛି କରୁଛି, ଯାହା ଫଳରେ ଇରାନ୍‌ରେ ବର୍ଷା ହେଉନାହିଁ।

ଇରାନର ବ୍ରିଗେଡିୟର ଜେନେରାଲ ଓ ଦେଶର ସିଭିଲ ଡିଫେନ୍ସ ସଂଗଠନର ମୁଖ୍ୟ ଗୁଲାମରାଜା ଜଲାଲୀ କହିଛନ୍ତି ଯେ, ଇରାନ୍‌ରେ ଜଳବାୟୁ ପରିବର୍ତ୍ତନକୁ ନେଇ ଇସ୍ରାଏଲ ସନ୍ଦେହ ଘେରକୁ ଆସିଛି। ପୋଡୋଶୀ ଦେଶଗୁଡ଼ିକ ମଧ୍ୟ ଯେପରି ଜଳବାୟୂ ପରିବର୍ତ୍ତନ ପାଇଁ ପ୍ରଭାବିତ ହୁଅନ୍ତୁ ସେଥିପାଇଁ ଇସ୍ରାଏଲ ଅପଚେଷ୍ଟା ଚଳାଇଛି ବୋଲି ସେ କହିଛନ୍ତି। ଯାହାର ପ୍ରଭାବରେ ଇରାନରେ ବର୍ଷା ହେଉନି।  କିନ୍ତୁ ଇରାନର ପାଣିପାଗ ବିଭାଗର ମୁଖ୍ୟ ଅହଦ ୱଜିଫେ ଏଥିରେ ସହମତ ନାହାଁନ୍ତି।

ଜଲାଲୀ କହିଛନ୍ତି, ଆଫଗାନିସ୍ଥାନ ଓ ଭୂମଧ୍ୟ ସାଗର ମଧ୍ୟରେ ଥିବା ୨୨୦୦ ମିଟର ପାହାଡ଼ ବରଫରେ ଆଚ୍ଛାଦିତ ହୋଇ ରହିଥାଏ। କିନ୍ତୁ ଇରାନରେ ଏପରି ନାହିଁ। ଏହା ପ୍ରଥମଥର ନୁହେଁ ଯେ, ଇରାନର କୌଣସି ଅଧିକାରୀ ଅନ୍ୟ ଦେଶ ଉପରେ ବର୍ଷା ଚୋରିର ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ୨୦୧୧ରେ ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଯାଦ କହିଥିଲେ ଯେ, ପଶ୍ଚିମ ଦେଶ ଇରାନ ଶୁଖିଲା ପଡ଼ିଛି।  ୟୁରୋପୀୟ ଦେଶ ଏକ ବିଶେଷ ପ୍ରକାରର ଉପକରଣର ବ୍ୟବହାର କରି ବାଦଲଗୁଡ଼ିକୁ କଏଦ କରିଦେଉଛନ୍ତି।

ଇରାନ୍‌ର ପାଣିପାଗ ବିଭାଗର ପ୍ରମୁଖ ଅହଦ ୱଜିଫେ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ବାଦଲ ଓ ବରଫର ଚୋରି କରାଯାଇପାରିବ ନାହିଁ। ଇରାନ ଅନେକ ଦିନରୁ ଶୁଖିଲା ହୋଇ ପଡ଼ିଛି। ଏହା କେବଳ ଇରାନର ନୁହେଁ, ଏହା ହେଉଛି ଏକ ବିଶ୍ୱବ୍ୟାପୀ ସମସ୍ୟା ।