ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଆତଙ୍କୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ସୋପିଆନ୍‌ରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଏବେ ବି ସେଠାରେ ଗୁଳି ବିନିମୟ ଜାରି ରହିଛି।

ଆଜି ସଂନ୍ଧ୍ୟାରେ ଜୱରା ବାଦ୍ରେହମ୍‌ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସର୍ଚ୍ଚ ଅପରେସନରେ ୨୩ ପାରା କମାଣ୍ଡୋ, ସିଆରପିଏଫ୍‌ ଯବାନ ଓ ରାଜ୍ୟ ପୁଲିସ୍‌ ସାମିଲ ହୋଇଥିଲେ। ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ଆତଙ୍କୀ ଜଣଙ୍କ ନିହତ ହୋଇଛି।