ପାକିସ୍ତାନରେ କ୍ଷୀର ଲିଟର ପ୍ରତି ୧୪୦ ଟଙ୍କା, ପେଟ୍ରୋଲ ଦରକୁ ବଳିଗଲା

କରାଚି: ଭାରତ ସହ ଯୁଦ୍ଧ କରିବ ବୋଲି ଶୁଖିଲା ଧମକ ଦେଉଥିବା ପାକିସ୍ତାନରେ ଆକାଶ ଛୁଆଁ ହୋଇଛି କ୍ଷୀର ଦର। ବିଶେଷ କରି ମହରମ୍‌ରେ ଏହାର ଦର ହଠାତ୍‌ ବୃଦ୍ଧି ପାଇ ୧୪୦ ଟଙ୍କାରେ ପହଞ୍ଚିଛି। କରାଚି ଏବଂ ସିନ୍ଧ ପ୍ରଦେଶରେ କ୍ଷୀର ଦର ଏଭଳି ସ୍ଥିତିରେ ପହଞ୍ଚିଛି ବୋଲି ଜଣାପଡ଼ିଛି।

ସବୁଠାରୁ ବଡ଼ କଥା ହେଉଛି, ଏଠାରେ ପେଟ୍ରୋଲ ଓ ଡିଜେଲ ଦର କ୍ଷୀରଦରଠାରୁ କମ୍‌ ରହିଛି। ଏଠାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ଯଥାକ୍ରମେ ୧୧୩ ଟଙ୍କା ଏବଂ ୯୧ ଟଙ୍କା ରହିଛି। କ୍ଷୀରର ଚାହିଦା ହଠାତ୍‌ ବଢ଼ିଯାଇଥିବାରୁ କରାଚିର ବିଭିନ୍ନ ସ୍ଥାନରେ ଦର ୧୨୦ରୁ ୧୪୦ ଟଙ୍କା ରହିଥିବା ଜଣେ ବ୍ୟବସାୟୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ମହରମ୍‌ ସମୟରେ ବିଭିନ୍ନ ଷ୍ଟଲ୍‌ ଜରିଆରେ ଶ୍ରଦ୍ଧାଳୁଙ୍କୁ କ୍ଷୀର ଏବଂ ଜୁସ୍‌ ବଣ୍ଟନର ପରମ୍ପରା ରହିଛି। ଏହି ସମୟରେ କ୍ଷୀରର ପ୍ରବଳ ଚାହିଦା ରହିଥିବାରୁ ଏଭଳି ସ୍ଥିତି ଉପୁଜିଛି। ସ୍ଥାନୀୟ ବାସିନ୍ଦା କେବେ ମଧ୍ୟ ଦର ଏଭଳି ପରିମାଣରେ ବୃଦ୍ଧି ପାଇବା ବାବଦରେ ଜାଣିନଥିବା କହିଛନ୍ତି। ତେବେ ସରକାରୀ ଭାବେ କ୍ଷୀର ଦର ବର୍ତ୍ତମାନ ଲିଟର ପ୍ରତି ୯୪ ଟଙ୍କା ରହିଛି।