ସୁରତରେ ଗଣଦୁଷ୍କର୍ମରେ ଶିକାର ନାବାଳିକା ଓଡ଼ିଆ ନୁହଁ

ସୁରତ(ଓଡ଼ିଶା ରିପୋର୍ଟର): ସୁରତରେ ଗଣଦୁଷ୍କର୍ମର ଶିକାର ୯ ବର୍ଷୀୟ ପୀଡ଼ିତାଙ୍କ ପରିଚୟ ମିଳିଛି। ମୃତ ନାବାଳିକା ଓଡ଼ିଶାର ନୁହେଁ, ଆନ୍ଧ୍ରପ୍ରଦେଶର। ଏହା ଆଜି ସ୍ପଷ୍ଟ ହୋଇଛି। ମୃତ ପୀଡ଼ିତାଙ୍କ ବାପା ଆଜି ଏନେଇ ମୁହଁ ଖୋଲିଛନ୍ତି। ଗତବର୍ଷ ଅକ୍ଟୋବରରେ ଝିଅ ନିଖୋଜ ହୋଇଥିବା ତାଙ୍କ ବାପା କହିଛନ୍ତି। ତେବେ ସୁରଟ ପୋଲିସ କମିଶନର ସତୀଶ ଶର୍ମା କହିଛନ୍ତି-“ମୃତ ଝିଅ ଓ ତାଙ୍କ ବାପା ମାଆଙ୍କ ଡିଏନ୍‌ଏ ଟେଷ୍ଟ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।”

ସେ କହିଛନ୍ତି-“ଗଣଦୁଷ୍କର୍ମରେ ଶିକାର ହୋଇଥିବା ନାବାଳିକାଙ୍କ ପରିଚୟ ଜାଣିବା ପାଇଁ ଭାରତର ବିଭିନ୍ନ ପ୍ରାନ୍ତକୁ ଫଟୋ ପଠା ଯାଇଥିଲା। ଏହି ଫଟୋକୁ ଆଧାରକରି ଏକ ପରିବାର ଆନ୍ଧ୍ର ପୋଲିସ ପାଖରେ ପହଞ୍ଚିଥିଲେ। ଆଜି ସେମାନେ ନିଜ ଝିଅକୁ ଚିହ୍ନବା ପାଇଁ ସୁରତ ଆସିଛନ୍ତି।”

ପୂର୍ବରୁ ମୃତ ନାବାଳିକା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗର ହୋଇଥିବା ଆଶଙ୍କା କରାଯାଉଥିଲା। ସୁରତ ପୋଲିସଠାରୁ ଖବର ପାଇଁ ଓଡ଼ିଶା ପୋଲିସ ଡିଜି ରାଜ୍ୟର ସବୁ ଜିଲ୍ଲାର ଏସ୍‌ପିମାନଙ୍କୁ ମୃତ ଝିଅ ଫଟୋ ପଠାଇଥିଲେ।