ସିରିୟାରେ ରାସାୟନିକ ଆକ୍ରମଣ ପରେ ମିଶାଇଲ୍ ଆଟାକ୍‌ , ପୋକମାଛି ପରି ମରୁଛନ୍ତି ଲୋକେ

ନୂଆଦିଲ୍ଲୀ: ସିରିୟାରେ ଜାରି ରହିଛି ନର ସଂହାର। କେତେବେଳେ ସ୍ଥଳପଥରେ ଆକ୍ରମଣତ’ ଆଉ କେତେବେଳେ ଆକାଶ ପଥରୁ ଆକ୍ରମଣ। ଆତଙ୍କରେ ଥରହର ସମ୍ପୂର୍ଣ୍ଣ ଦେଶ।  କୋମଳମିତି ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଦୈନିକ ଶହ ଶହ ଜୀବନ ରକ୍ତପାତରେ ଚାଲିଯାଉଛି। ଏବେ ଲଗାତାର ଦୁଇ ଦୁଇଟି ରାସାୟନିକ ଆକ୍ରମଣ ପରେ ମିଶାଇଲ୍‌(କ୍ଷେପଣାସ୍ତ୍ର) ଆକ୍ରମଣ କରାଯାଇଛି। ସିରିୟାର ଏୟାରବସ୍‌ ଉପରେ ଆମେରିକା କରିଛି ଭୟଙ୍କର  ଆକ୍ରମଣ। ସିରିୟା ଦାବି କରିଛି  ଯେ, ଆମେରିକା ଗତ ସୋମବାର ସକାଳ ୮ଟାରେ ମିଶାଇଲ୍ ସାହାଯ୍ୟରେ ତାଙ୍କ ଏୟାରବେଶ୍ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ପ୍ରାୟ ୧୪ ଜଣ ଇରାନ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ସେପଟେ ଆମେରିକା ଏହି ଅଭିଯୋଗକୁ ଖଣ୍ଡନ କରିଛି। ଶନିବାର ହୋଇଥିବା ରାସାୟନିକ ଆକ୍ରମଣରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆମେରିକା କହିଥିଲା ଯେ, ଏଥିପାଇଁ ଋଷ୍ ଓ ଇରାନ୍ ଦାୟୀ। ଆମେରିକା ସିରିଆକୁ ଏହାର ପ୍ରତିଶୋଧ ନେବାକୁ କହିଥିଲା।

ସୂଚନା ଅନୁଯାୟୀ ସୋମବାର ତଡ଼କେ ହୋମ୍ସର ଟର୍ମିନାଲ ୪ ଏୟାରଫିଲ୍ଡରେ ଏକ ଜୋରଦାର୍ ଧମାକା ହେବାର ଶବ୍ଦ ଶୁଣିବାକୁ ମିଳିଥିଲା। ମିଳିଥିବା ସୂଚନା ଅନୁଯାୟୀ, ସିରିଆ ଏୟାରବେଶ୍ ଉପରେ ୮ଟି ମିଶାଇଲ ଛଡ଼ାଯାଇଥିଲା। ଘଟଣାସ୍ଥଳରେ ଅନେକ ରୁଷୀୟ ସେନା ମଧ୍ୟ ଥିଲେ। ତେବେ ଘଟଣାରେ ୧୪ ଜଣ ସେନାଙ୍କ ବ୍ୟତୀତ ଆହୁରୀ ଲୋକଙ୍କ ମୃତ୍ୟ ହୋଇଛି ବୋଲି ଅନେକ ଗଣମାଧ୍ୟରେ ପ୍ରକାଶ ହୋଇଛି। ତେବେ ମୃତ୍ୟୁ ସଂଖ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ସିରିଆର ଏପରି ଅଭିଯୋଗକୁ ଖଣ୍ଡନ କରିଛି  ଆମେରିକାର ପ୍ରତିରକ୍ଷା ବିଭାଗର ମୁଖ୍ୟ କାର୍ଯାୟାଳୟ ‘ପେଣ୍ଟାଗନ୍’ । ପେଣ୍ଟାଗନ୍ କହିଛି ଯେ, ସିରିୟାରେ ହୋଇଥିବା ମିଶାଇଲ୍ ଆକ୍ରମଣରେ ଆମେରିକାର କୌଣସି ହାତ ନାହିଁ। ସୂଚନା ଅନୁଯାୟୀ, ସିରିୟାର ପୂର୍ବାଞ୍ଚଳର ଘୌଟା ସହରରେ ବଡ଼ ଧରଣର ରାସାୟନିକ ଆକ୍ରମଣ ଯୋଗୁଁ ଅତିକମ୍‌ରେ ୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଶହରୁ ଊର୍ଦ୍ଧ୍ୱ ଗୁରୁତର ହୋଇଥିଲେ।