୬ ମାସ ହେବ ନିଖୋଜ, ଲୋକେ ଖୋଜିଖୋଜି ନୟାନ୍ତ

ନୂଆଦିଲ୍ଲୀ: ନିଖୋଜ ହୋଇଯାଇଛନ୍ତି ବଲିଉଡ୍‌ କଳାକାର ତଥା ବିଜେପି ନେତା ଶତ୍ରୁଘ୍ନ ସିହ୍ନା।  ଦୀର୍ଘ ୬ ମାସ ହେବ ସେ କେଉଁ ଆଡ଼େ ଯାଇଛନ୍ତି ଯେ, ପତା ପାଉନାହାନ୍ତି ସ୍ଥାନୀୟ ଜନତା । ସେ ନିଖୋଜ ହୋଇଥିବା ନେଇ କାନ୍ଥ ବାଡ଼ରେ ଲାଗିଛି ପୋଷ୍ଟର। ଚାରିଆଡ଼େ ତାଙ୍କୁ ଖୋଜି ଖୋଜି କରି ନୟାନ୍ତ ହେବା ପରେ ଶେଷରେ ରବିବାର ଥାନାରେ ଅଭିଯୋଗ କରିଛନ୍ତି ଲୋକେ। ଶହେରୁ ଅଧିକ ଲୋକ ସୋମବାର ହଠାତ୍ ବୁଦ୍ଧ କଲୋନୀ ପୋଲିସ୍‌ ଷ୍ଟେସନ୍‌ରେ ପହଁଞ୍ଚି ଥାନାରେ ଦେଇଛନ୍ତି ଅଭିଯୋଗ ପତ୍ର।

ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚୟ। ଭାବୁଥିବେ ଏତେବଡ଼ ଖବରଟା କୌଣସି ଗଣମାଧ୍ୟମରେ ପ୍ରସାରଣ ହେଲାନି କିପରି ? ସରକାର କରୁଥିଲେ କ’ଣ ? ଏମିତି କେତେ କ’ଣ ଭାବନା ଆପଣଙ୍କ ମନକୁ ଅଥୟ କରୁଥିବ। ସେମିତି କିଛି ଭାବନ୍ତୁନି। କଥାଟା ସେତେ ବଡ ନୁହେଁ ଯେମିତି ଆପଣ ଭାବୁଛନ୍ତି। ଆମେ ଆପଣଙ୍କ ଉପରୋକ୍ତ ସବୁ ପ୍ରଶ୍ନର ଉତ୍ତର ଦେବୁ।

ପ୍ରକୃତ ଘଟଣା ହେଉଛି ଏମିତି। ଦୀର୍ଘ ୬ ମାସ ହେବ ଶତ୍ରୁଘ୍ନ ସିହ୍ନା ତାଙ୍କ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ଅଛନ୍ତି। ଏଥିପାଇଁ ବିଭିନ୍ନ ମହିଳା ସଙ୍ଗଠନ, ବରିଷ୍ଟ ନାଗରୀକ ଓ ସାମାଜିକ ସଙ୍ଗଠନ ‘ଆମ ନାଗରିକ ମଞ୍ଚ’ ପକ୍ଷରୁ ପୋଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ହୋଇଛି। ଅନୁପସ୍ଥିତ କାରଣରୁ ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁ ନାହିଁ। ଫଳରେ ଆଗାମୀ ନିର୍ବାଚନ ସମ୍ପର୍କିତ ଆଲୋଚନା ମଧ୍ୟ ହୋଇପାରୁ ନାହିଁ ବୋଲି ସମାଜିକର୍ମି ନାଭାଲ କିଶୋର ଗୁପ୍ତା ଥାନାରେ ଅଭିଯୋଗ କରିଛନ୍ତି।

ଏମିତି ଅଜବ ଅଭିଯୋଗ ପାଇ ପୋଲିସ୍‌ ପ୍ରଥମେ ଅଭିଯୋଗ ଲେଖୁ ନ ଥିଲା । କିନ୍ତୁ ପ୍ରାୟ ଏକ ଘଣ୍ଟାଧରି ଅନୁରୋଧ କରିବା ପରେ ବାଧ୍ୟ ହୋଇ ଷ୍ଟେସନ ଡାଏରୀରେ ଅଭିଯୋଗ ଲେଖିଥିଲା ପୋଲିସ। ବାସ୍ତବରେ ଶତ୍ରୁଘ୍ନ ବିଦେଶ ଯାତ୍ରାରେ ଯାଇଛନ୍ତି। ସେ ଏପ୍ରିଲ୍‌ ୧୬ ତାରିଖ ସୁଦ୍ଧା ପହଞ୍ଚିବେ ବୋଲି ତାଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତି କହିଛନ୍ତି। ତେବେ ଭାରତରେ ଏପରି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଅନେକ ଥର ଘଟିସାରିଛି। ନିକଟରେ ଅମେଠୀରେ ମଧ୍ୟ ରାହୁଲ୍‌ ଗାନ୍ଧୀ ମିସିଂ ଲେଖାଯାଇ ପୋଷ୍ଟର ମରାଯାଇଥିଲା।