ମିଳିଗଲେ ଚନ୍ଦ୍ରମୁଖୀ: କିଏ କରିଥିଲା ଅପହରଣ ?

ହାଇଦ୍ରାବାଦ: ମିଳିଗଲେ ଚନ୍ଦ୍ରମୁଖୀ। ନିଖୋଜ ହେବାର ୨ ଦିନ ପରେ ଚନ୍ଦ୍ରମୁଖୀ ମୁଭଭଲ୍ଲାଙ୍କ ପତ୍ତା ମିଳିଛି। ଥାର୍ଡ ଜେଣ୍ଡର କର୍ମୀ ତଥା ତେଲେଙ୍ଗାନା ବିଧାନସଭା ପାଇଁ ଘୋଶାମହଲ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଚନ୍ଦ୍ରମୁଖୀ ନିଖୋଜ ହେବାର ୨ ଦିନ ପରେ ବୁଧବାର ରାତିରେ ଏକ ପୁଲିସ ଷ୍ଟେଶନରେ ହାଜର ହୋଇଥିବା ଜଣାପଡ଼ିଛି।

ଗତ ୨୭ ତାରିଖ ସକାଳୁ ଚନ୍ଦ୍ରମୁଖୀ ନିଖୋଜ୍ ହୋଇଥିବା ଦେଇ ବଞ୍ଜାରା ହିଲ୍ସ ଥାନାରେ ଅଭିଯୋଗ ହୋଇ ଥିଲା। ତାଙ୍କୁ ଖୋଜିବା ନେଇ ପୁଲିସ ତନାଘନା ଆରମ୍ଭ କରିଥିଲା। ଏପରିକି ତାଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ କରାଯାଉଥିଲା। ଏନେଇ ଚନ୍ଦ୍ରମୁଖୀଙ୍କ ମା’ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏନେଇ ଚନ୍ଦ୍ରମୁଖୀଙ୍କୁ ଖୋଜି କୋର୍ଟରେ ହାଜର କରିବାପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ରାତିରେ କିଛି କିନ୍ନର ସହଯୋଗୀ ଏବଂ ନିଜ ଓକିଲଙ୍କ ସହ ଚନ୍ଦ୍ରମୁଖୀ ବଞ୍ଜାରା ହିଲ୍ସ ଥାନାରେ ଅଚାନକ ହାଜର ହୋଇଥିଲେ। ତେବେ ତାଙ୍କୁ କେହି ଜଣେ ଅପହରଣ କରି ସେଠାରେ ଧମକଚମକ ଦେଇଥିବା ତାଙ୍କ ଓକିଲ କହିଛନ୍ତି।

ତେବେ ଏବାବଦରେ ସେ ସମସ୍ତ ତଥ୍ୟ ଚନ୍ଦ୍ରମୁଖୀ କୋର୍ଟରେ ରଖିବେ ବୋଲି ତାଙ୍କ ଓକିଲ କହିଛନ୍ତି। ତେଲେଙ୍ଗାନା ହିଜରା ସମିତି ଅଭିଯୋଗ କରିଛି ଯେ, ଚନ୍ଦ୍ରମୁଖୀ ଯେଉଁ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ସେଠାକାର ନେତାମାନେ ତାଙ୍କୁ ବିରୋଧ କରୁଥିଲେ। ଏମିତି କିଛି ବିଧାୟକ ପ୍ରାର୍ଥୀ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ସମିତି ଅଭିଯୋଗ କରିଛି। ତେଣୁ ସେଠାକାର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେହି ଜଣେ ପ୍ରାର୍ଥୀଙ୍କ ଦ୍ୱାରା ତାଙ୍କୁ ଅପହରଣ କରାଯାଇଥିବା ସମିତି ଅଭିଯୋଗ କରିଛି।

ସୂଚନା ଅନୁଯାୟୀ, ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଚନ୍ଦ୍ରମୁଖୀ ଏକମାତ୍ର କିନ୍ନରଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଘୋଶାମହଲ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଥିବା ଚନ୍ଦ୍ରମୁଖୀ ସିପିଏମ୍‌ ଦ୍ୱାରା ପରିଚାଳିତ ବହୁଜନ ଲେଫ୍ଟ ଫ୍ରଣ୍ଟରୁ ଟିକେଟ୍‌ ପାଇଛନ୍ତି। ଏହି ଆସନରେ ବରିଷ୍ଠ କଂଗ୍ରେସ ନେତା ମୁକେଶ ଗୌଡ଼ ଏବଂ ଭାଜପା ନେତା ଟି .ରାଜା ସିଂଙ୍କ ସହିତ ତାଙ୍କର ମୁକାବିଲା ହେବ।