ବିଧାୟକଙ୍କ ମାନବିକତା,ଆହତଙ୍କୁ ପିଠିରେ ବୋହିଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବିଧାୟକ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ନାଁ ସୁନୀଲ ଦତ୍ତ। ସେ ଫରୁଖାବାଦରୁ ବିଜେପି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଘଟଣାଟି ଏହିପରି। ନିକଟରେ ଫରୁଖାବାଦର ନେକପୁରରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନେ ଗୁରୁତର ଅବସ୍ଥାରେ ରାସ୍ତାରେ ଗଡ଼ୁଥିବା ବେଳେ ସୁନୀଲ ସେହି ରାସ୍ତା ଦେଇ ଯାଉଥିଲେ। ସେ ତୁରନ୍ତ ଆହତମାନଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଷ୍ଟ୍ରେଚରର ଅଭାବ ଦେଖି ସେ ଆହତଙ୍କୁ ନିଜ ପିଠିରେ ବୋହି ଜରୁରୀକାଳୀନ ୱାର୍ଡକୁ ନେଇଥିଲେ। ବିଧାୟକ ଆହତମାନଙ୍କୁ ଡାକ୍ତରଖାନା ଆଣିଥିବା ଦେଖି ଡାକ୍ତର ସଙ୍ଗେ ସଙ୍ଗେ ସେମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ।

ୟୁପି ସରକାରଙ୍କ କହିବା ଅନୁଯାୟୀ ଗତବର୍ଷ ଉତ୍ତର ପ୍ରଦେଶରେ ୫୦୦୦ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୧୯,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚା ଯାଇପାରିଲେ ଅନେକ ଜୀବନ ବଞ୍ଚି ଯାଆନ୍ତା।