ମୋ ଅବସର ବୟାନକୁ ସନ୍ନ୍ୟାସ ସହ ଯୋଡ଼ା ନଯାଉ: ମନୋହର ପାରିକର

ପାନଜୀ: ରାଜନୀତିରୁ ସନ୍ନ୍ୟାସ ନେବା କଥାକୁ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ଖଣ୍ଡନ କରିଛନ୍ତି । ପୂର୍ବରୁ ୬୦ ବର୍ଷ ବୟସରେ ସେ ରାଜନୀତିରୁ ସନ୍ନ୍ୟାସ ନେବା କଥା ବୋଲି କହିଥିଲେ। ତାଙ୍କ ବୟାନକୁ ସନ୍ନ୍ୟାସ ସହ ଯୋଡା ନ ଯାଉ ବୋଲି ଏବେ ସେ କହିଛନ୍ତି।

ପୂର୍ବରୁ ଗୋଆର ମାପୁସାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରିକର ସନ୍ନ୍ୟାସ ସମ୍ପର୍କରେ ସଙ୍କେତ ଦେଇଥିଲେ।ସେ କହିଥିଲେ, ‘୬୦ ବର୍ଷ ହୋଇଗଲେ ଲୋକଙ୍କ ଅବସର ନେବା କଥା ଚିନ୍ତା କରିବା ଦରକାର।  ୧୩ ଡିସେମ୍ବରକୁ ମୁଁ ୬୦ବର୍ଷର ହୋଇଯିବି। ଏଥିପାଇଁ ୨ରୁ ୩ ବର୍ଷ ପୂର୍ବରୁ ଚିନ୍ତା କରିବା ଆରମ୍ଭ  କରିଦେଇଥିଲି। ଏବେ କୌଣସି ବଡ ଦାୟିତ୍ୱ ନେବାକୁ ମୋର ଇଚ୍ଛା ନାହିଁ ।’ ତେବେ ସୋମବାର ସଫେଇ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ସେ ଏମିତି ସନ୍ନ୍ୟାସ କଥା କହି ଦେଇଥିଲେ। ଗୋଆ ଭଳି ଏକ ଛୋଟ ରାଜ୍ୟରେ ଭଲ ନେତୃତ୍ୱର ଅଭାବ ରହିଛି। ଗୋଆ ଉପରେ ସବୁବେଳେ ତାଙ୍କର ଧ୍ୟାନ ରହିଛି ଓ ରହିବ। ରାଜ୍ୟ ସରକାର ଭୁଲ ରାସ୍ତାରେ ଗଲେ ତାଙ୍କୁ ଠିକ୍ ବାଟକୁ ଆଣିବେ ।

୨୦୧୨ରେ ଗୋଆର ମୁଖ୍ୟମନ୍ତ୍ରୀ ହୋଇଥିଲେ ପାରିକର। ଗତବର୍ଷ ତାଙ୍କୁ ଏନଡିଏ ସରକାରରେ ପ୍ରତିରକ୍ଷାମନ୍ତ୍ରୀ କରାଯାଇଥିଲା। ୨୦୦୦ ମସିହାରେ ସେ ଗୋଆର  ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟ ୨୦୦୦-୦୫ ପର୍ଯ୍ୟନ୍ତ ରହିଥିଲା।