ଏଣିକି ମୋବାଇଲ କିଣିଲେ ପକେଟକୁ ବାଧିବ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ଗୁରୁବାର ୨୦୧୮ ସାଧାରଣ ବେଜଟ୍‌ ଉପସ୍ଥାପିତ ହୋଇଛି। ପାର୍ଲିଆମେଣ୍ଟରେ ବିତ୍ତମନ୍ତ୍ରୀ ଅରୁଣ ଜଟଲୀ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଗରୀବି ସୀମାରେଖା ତଳେ ରହିଥିବା ଲୋକଙ୍କ ପାଇଁ ବଜେଟ୍‌ରେ ଲୋଭନୀୟ ବ୍ୟବସ୍ଥା କରାଯାଇଥିବା ବେଳେ ସାଧାରଣ ଗ୍ରାହକଙ୍କ ପାଇଁ ସେଭଳି କିଛି ଉତ୍ତର ବ୍ୟବସ୍ଥା ହୋଇନାହିଁ।

ବେଜଟ୍‌ରେ ଏମିତି ଗୋଟିଏ ଘୋଷଣା ସାଧାରଣ ହୋଇଛି ଯାହା ସାଧାରଣ ଗ୍ରାହକଙ୍କୁ ବାଧିଛି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ଏହି ବଜେଟ୍‌ରେ ସୀମା ଶୁଳ୍କ ବୃଦ୍ଧି କରାଯାଇଥିବାରୁ ମୋବାଇଲ ଫୋନ୍‌ କିଣିଲେ ଏଣିକି ଆପଣଙ୍କ ପକେଟ୍‌କୁ ବାଧିବ। ମୁଖ୍ୟତଃ ଦାମୀ ସ୍ମାର୍ଟ ଫୋନ୍‌ଗୁଡିକ ଆହୁରି ଦାମିକିଆ ହୋଇଯିବ। Apple I phoneଗୁଡିକର ଦର ୪ ପ୍ରତିଶତ ବୃଦ୍ଧି ପାଇବାକୁ ଥିବା ବେଳେ Volte ଫିଚର ଥିବା ସ୍ମାର୍ଟ ଫୋନଗୁଡିକ ଉପରେ ୨୦ ପ୍ରତିଶତ ସୀମା ଶୁଳ୍କ ଲାଗିଛି।

ଅନ୍ୟପକ୍ଷରେ ମୋବାଇଲ ସହ ସଂଲଗ୍ନ ହେବାକୁ ଥିବା ଅନ୍ୟ ସାମଗ୍ରୀଗୁଡିକର ଦର ମଧ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଡପ୍ଟର, ବ୍ୟାଟେରୀ ପ୍ୟାକର, ମାଇକ୍ରୋଫୋନ୍‌, ହେଡଫୋନ୍‌ଗୁଡିକର ଦର ମଧ୍ୟ ବୃଦ୍ଧି ହେବ। ଉପରୋକ୍ତ ସାମଗ୍ରୀଗୁଡିକ ଉପରେ ଆମଦାନି ଶୁଳ୍କ ଯଥାକ୍ରମେ ୭.୫, ୧୦ ଓ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି।