କଂଗ୍ରେସର ୧୫ ବର୍ଷ ଶାସନରେ ଆସାମର ବିକାଶ ବାଧାପ୍ରାପ୍ତ ହୋଇଛି: ମୋଦି

କୋକ୍ରାଝର: କଂଗ୍ରେସ ସରକାରଙ୍କ ୧୫ ବର୍ଷର ଶାସନ ସମୟରେ ଆସାମର ବିକାଶରେ ବାଧା ସୃଷ୍ଟି ହୋଇଛି। ଏହି ସରକାର ବିକାଶ ନାଁରେ ଲୋକଙ୍କୁ ଠକିଛନ୍ତି। ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଜ୍ୟସଭାକୁ ଯାଇଥିଲେ ହେଲେ ଏହି ଅଞ୍ଚଳର ବିକାଶ ପ୍ରତି ସେ ପ୍ରାଧାନ୍ୟ ଦେଇନାହାଁନ୍ତି। ମଙ୍ଗଳବାର ଏହିପରି କଡ଼ା ଭାଷାରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଗକୁ ଆସାମ ବିଧାନସଭା ନିର୍ବାଚନ। ଏଠାରେ ବିଜେପି ଓ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ ମଧ୍ୟରେ ମେଣ୍ଟ ହୋଇଛି। ଏହି ମେଣ୍ଠର ମିଳିତ ନିର୍ବାଚନ ପ୍ରଚାରରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୀର୍ଘ ବର୍ଷରୁ ଆସାମରେ ଆଦିବାସୀମାନେ ରହି ଆସୁଛନ୍ତି। ହେଲେ ସେମାନଙ୍କୁ ଆଦିବାସୀର ମାନ୍ୟତା ଦିଆଯାଉନାହିଁ। ଏଠିକାର କଂଗ୍ରେସ ସରକାର କାହିଁକି ସେମାନଙ୍କ ପ୍ରତି ଅନ୍ତରପାନ୍ତର ନୀତି ଅବଲମ୍ବନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି ହେବା ଦ୍ୱାରା ରାଜ୍ୟରେ ବହୁ ସମସ୍ୟା ଉପୁଜୁଛି। ଏହାକୁ ଦୂର କରିବାକୁ ବିଜେପିକୁ ଥରେ ସୁଯୋଗ ଦିଅନ୍ତୁ ବୋଲି ସେ ସାଧାରଣଲୋକଙ୍କ ନିବେଦନ କରିଛନ୍ତି।