ନାଲିକୋଠାରେ ଫସିଛି ମୋଦିଙ୍କ ବାୟୋପିକ୍‌: ରିଲିଜ୍‌ ଉପରେ ରୋକ୍, ସୁପ୍ରିମକୋର୍ଟରେ ନିର୍ମାତା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ ‘ପିଏମ୍‌ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ରୋକ ଲଗାଇବା ପରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି ଫିଲ୍ମର ନିର୍ମାତା। ୧୫ ଏପ୍ରିଲରେ ଏହି ମାମଲାର ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଥିବା ଜଣାପଡ଼ିଛି। ଫିଲ୍ମ ନିର୍ମାତା ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିର୍ବାଚନ କମିଶନ କଳାକାରଙ୍କ ସ୍ୱାଧୀନତା ଉପରେ ଲଗାମ ଲଗାଇଛନ୍ତି।

ନିର୍ବାଚନ ବେଳେ କୌଣସି ରାଜନୈତିକ ଦଳ କିମ୍ବା ନେତାକୁ ସୁହାଇଲା ଭଳି ଫିଲ୍ମ ରିଲିଜ ହୋଇପାରିବ ନାହିଁ ବୋଲି ଦର୍ଶାଇ ନିର୍ବାଚନ କମିଶନ ମୋଦିଙ୍କ ବାୟୋପିକ୍‌ ଫିଲ୍ନ ଉପରେ ରୋକ ଲଗାଇଛନ୍ତି।

ବଲିଉଡ୍‌ ଅଭିନେତା ବିବେକ୍‌ ଓବେରୟ ଏହି ଫିଲ୍ମରେ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ମୋଦିଙ୍କ ସଂଘର୍ଷର ଜୀବନର କାହାଣୀ ରହିଛି। ପୂର୍ବରୁ ବିରୋଧୀ ଫିଲ୍ମଟିକୁ ରିଲିଜ କରିବା ପାଇଁ ନ ଦେବାକୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେଁ ଏହି ଆବେଦନ ଖାରଜ ହୋଇଯାଇଥିଲା।

ବିଜେପି ମଧ୍ୟ ବିରୋଧୀଙ୍କୁ ବାକ୍‌ ସ୍ୱାଧୀନତାର କଥା କହି ସମାଲୋଚନା କରିଥିଲା। ତଥାପି ବିରୋଧୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ମଧ୍ୟ ଫିଲ୍ମନ ରିଲିଜ୍ କରିବା ପାଇଁ ଗ୍ରୀନ ସିଗନାଲ ଦେଇଥିଲେ। ହେଲେ ନିର୍ବାଚନ କମିଶନ ବୁଧବାର ଦିନ ଫିଲ୍ମର ରିଲିଜ ଉପରେ ରୋକ ଲଗାଇଥିଲେ।