୨୦ ବର୍ଷ ପୂର୍ବର ଫଟୋକୁ ସେୟାର କରି ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ: ରାମନାଥ କୋବିନ୍ଦ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି  ଭାବେ ନିର୍ବାଚିତ ହୋଇଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ମୀରା କୁମାରଙ୍କୁ ବିପୁଳ ଭୋଟରେ ହରାଇଛନ୍ତି ଏନ୍‌ଡିଏର ପ୍ରାର୍ଥୀ ରାମନାଥ କୋବିନ୍ଦ। ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରୁ ଦେଶର ୧୪ତମ ରାଷ୍ଟ୍ରପତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନାଥ କୋବିନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ୨୦ ବର୍ଷ ପୂର୍ବର ଉଠାଯାଇଥିବା ଏକ ଫୋଟ୍‌କୁ ମୋଦି ଟ୍ୱିଟର ମାଧ୍ୟମରେ ସେୟାର କରିଛନ୍ତି। ଯେଉଁ ଫଟୋରେ ମୋଦି ଓ କୋବିନ୍ଦ ୨୦ବର୍ଷ ପୂର୍ବେ ଏକ ଉତ୍ସବରେ ଏକତ୍ର ହୋଇଥିଲେ। ମୋଦି କୋବିନ୍ଦଙ୍କ ପାଇଁ ଟ୍ୱିଟ୍‌ କରି କହିଛନ୍ତି ଯେ ୨୦ ବର୍ଷ ପୂର୍ବେ ଓ ଆଜି ଆପଣଙ୍କ ସହ ଯୋଡି ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି ।