ପାର୍ଲାମେଣ୍ଟର ରାତିଅଧିଆ ଅଧିବେଶନ ବସି ଆରମ୍ଭ ହେବ ଜିଏସ୍‌ଟି

ନୂଆଦିଲ୍ଲୀ: ଜୁଲାଇ ପହିଲାରୁ ସାରା ଦେଶରେ ଲାଗୁ ହେବ ଦ୍ରବ୍ୟ ଓ ସେବା କର (ଜିଏସଟି)। ଏହା ପୂର୍ବରୁ ଜୁନ୍ ୩୦ ତାରିଖ ମଧ୍ୟରାତ୍ରିରେ ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଜିଏସ୍‌ଟିର ଶୁଭାରମ୍ଭ କରାଯିବ। ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଜିଏସଟିର ଶୁଭାରମ୍ଭ ନେଇ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଏହି ସ୍ୱତନ୍ତ୍ର ଅଧିବେଶନ ବସିବ। ଏଥିରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଏଚଡି ଦେବେଗୌଡା ପ୍ରମୁଖ ଯୋଗଦେବେ। ଅଧିବେଶନକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।

ଏହି ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଜିଏସଟିର ଶୁଭାରମ୍ଭ ନେଇ ତାଙ୍କର ଅଭିଭାଷଣ ରଖିବେ। ଜିଏସଟି ଲାଗୁ ହେଲେ ଦେଶର ଜିଡିପି ବଢ଼ିବା ସହ ଅର୍ଥନୀତି ମଧ୍ୟ ଦୃଢ଼ ହେବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି କଠିନତାକୁ ସାମ୍ନା କରିବାକୁ ପଡ଼ିବ ବୋଲି ଜେଟଲି କହିଛନ୍ତି।