ମୋଦିଙ୍କ ନଜରରେ ମୁସଲିମ: ୩୩ ଦିନରେ ୩ ବଡ଼ ନିଷ୍ପତ୍ତି

ଆଜିକାଲି ଲାଗୁଛି ଯେ ମୋଦି ସରକାରଙ୍କର ପୂରା ଧ୍ୟାନ କେବଳ ଦେଶର ମୁସଲିମ ସମ୍ପ୍ରଦାୟ ଉପରେ ଅଛି। ଗତକାଲି କେନ୍ଦ୍ର ସରକାର, ବର୍ଷ ବର୍ଷ ଧରି ମୁସଲମାନ ଶ୍ରଦ୍ଧାଳୁମାନଙ୍କୁ ମିଳି ଆସୁଥିବା ହଜ୍ ଯାତ୍ରାର ସବ୍‌ସିଡି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ସରକାର କୌଣସି ପୁରୁଷ ସହାୟକଙ୍କ ବିନା ମୁସଲିମ ମହିଳାଙ୍କୁ ହଜ୍ ଯାତ୍ରାର ଅନୁମତି ଦେଇଥିଲେ। ମୋଦିଙ୍କର ସବୁଠାରୁ ପ୍ରଶଂସନୀୟ ପଦକ୍ଷେପ ହେଉଛି, ଲୋକସଭାରେ ତିନ୍‌ ତଲାକ୍‌ ବିଲ ପାସ୍‌ କରାଇ ଏକ ବଡ଼ ସଫଳତା ହାସଲ କରିବା। ଯାହା ମୋଦିଙ୍କୁ ଦେଶର ସମସ୍ତ ମୁସଲିମ୍ ମହିଳାଙ୍କ ନଜର୍‌ରେ ଦେବଦୂତ ବନାଇ ଦେଇଥିଲା। ଦେଖିବାକୁ ଗଲେ ଗତ ୩୩ ଦିନ ଭିତରେ ମୋଦି ସରକାର ଦେଶର ମୁସଲମାନଙ୍କ ସହ ଜଡ଼ିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳ ଏହାକୁ ମୋଦିଙ୍କର ଭୋଟ୍ ପାଇଁ ରଣନୀତି ବୋଲି କହୁଛନ୍ତି।

ମୋଦିଙ୍କ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:

୧) ତିନି ତଲାକ ବିରୋଧରେ ବିଲ୍

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ତିନି ତଲାକ ବ୍ୟବସ୍ଥାକୁ ଶେଷ କରିବା ପାଇଁ ଏକ ବିଲ୍ ପ୍ରସ୍ତୁତ କରିଛନ୍ତି। ଏହାକୁ ଡିସେମ୍ବର ୧୫ ତାରିଖ ଦିନ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଥିଲା। ଲୋକସଭାରେ ମଧ୍ୟ ଏହି ବିଲ୍‌ଟି ଡିସେମ୍ବର ୨୮ ତାରିଖ ଦିନ ପାସ୍‌ ହୋଇଯାଇଛି। କିନ୍ତୁ ରାଜ୍ୟସଭାରେ ଏନ୍‌ଡିଏର ବହୁମତ ନ ମିଳିବାରୁ ବିଲ୍‌ଟି ଅଟକି ରହିଛି। ତେବେ ସରକାର ବଜେଟ୍ ଅଧିବେଶନରେ ଏହି ବିଲ୍‌କୁ ପୁଣି ଥରେ ପାସ୍‌ କରାଇବାକୁ ଚେଷ୍ଟା କରିବ ବୋଲି ଅନୁମାନ କରାଯାଉଛି। ମୋଦି ସରକାରଙ୍କର ଏହି ପଦକ୍ଷେପ ଲକ୍ଷ ଲକ୍ଷ ମୁସଲିମ ମହିଳାଙ୍କ ସମର୍ଥନ ଜିତିଥିବା ବେଳେ କିଛି ମୁସଲିମ ସଂଗଠନ ଏହାର ବିରୋଧ ମଧ୍ୟ କରିଥିଲେ।

୨) ହଜ ସବସିଡି ବନ୍ଦ

ସାରା ଦୁନିଆର ମୁସଲିମଙ୍କ ପରି ଭାରତର ମୁସଲିମମାନେ ମଧ୍ୟ ହଜ୍‌ ଯାତ୍ରାରେ ସାଉଦୀ ଆରବ ଯାଆନ୍ତି।  ଭାରତୀୟ ହଜ୍ ଯାତ୍ରୀଙ୍କ ଯାତ୍ରା ଖର୍ଚ୍ଚର କିଛି ଅଂଶ ସରକାର ସବ୍‌ସିଡି ଆକାରରେ ନିଜେ ବହନ କରିଥାନ୍ତି। ଏହି ସବ୍‌ସିଡି କେବଳ ସେହିମାନଙ୍କୁ ମିଳେ ଯେଉଁମାନେ ହଜ୍‌ କମିଟି ଜରିଆରେ ଯାଇଥାନ୍ତି। କିନ୍ତୁ ଗତକାଲି ସରକାର ଏହି ସବସିଡିକୁ ବନ୍ଦ କରିଦେଇଛନ୍ତି ବୋଲି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବାସ ନଭକୀ ସୂଚନା ଦେଇଥିଲେ। ସେ କହିଛନ୍ତି ଯେ, ଏହି ରିହାତି ଅର୍ଥକୁ ସଂଖ୍ୟାଲଘୁଙ୍କ ବିକାଶ ପାଇଁ ବିନିଯୋଗ କରାଯିବ। କିଛି ମୁସିଲମ୍ ଏହି ପ୍ରସ୍ତାବକୁ ସ୍ୱାଗତ କରିଥିବାବେଳେ କିଛି ଏହାକୁ ବିରୋଧ କରିଛନ୍ତି।

୩)  ପୁରୁଷଙ୍କ ବିନା ମହିଳାଙ୍କୁ ହଜ୍ ଯାତ୍ରାର ଅନୁମତି

ମୋଦି ସରକାର ମୁସଲିମ ମହିଳାଙ୍କୁ ପୁରୁଷଙ୍କ ବିନା ହଜ୍‌ ଯାତ୍ରା କରିବାର ଅନୁମତି ଦେଇ ଆଉ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଯାହାକୁ ଅନେକ ମୁସଲିମ ମହିଳା ସମର୍ଥନ କରିଛନ୍ତି। ୪୫ ବର୍ଷରୁ ଅଧିକ ବୟସ୍କା ମହିଳାମାନେ ଏବେ ପୁରୁଷ ସହାୟକଙ୍କ ବିନା ହଜ ଯାତ୍ରା କରିପାରିବେ। ଚଳିତ ବର୍ଷ ପାଖାପାଖି ୧୩୦୦ ମୁସଲିମ୍‌ ମହିଳା ଏକାକୀ ହଜ ଯାତ୍ରା କରିବେ। ହେଲେ ଏହି ନିଷ୍ପତ୍ତିକୁ ମଧ୍ୟ ଅନେକ ମୁସଲିମ ସଂଗଠନ ବିରୋଧ କରିଛନ୍ତି। ସେମାନଙ୍କ କହିବା କଥା ଯେ ଏପରି କରିବା ଇସ୍‌ଲାମ ବିରୋଧରେ ଯାଉଛି।

କ’ଣ ରହିଛି ମୋଦିଙ୍କ ରଣନୀତି?

ମୁସଲମାନଙ୍କ ସହ ଜଡ଼ିତ ବିଭିନ୍ନ ମାମଲାରେ ମୋଦି ଗୋଟେ ପରେ ଗୋଟେ କଡ଼ା ନିଷ୍ପତ୍ତି ନେଇଚାଲିଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ଝଡ଼ ମଧ୍ୟ ଆରମ୍ଭ ହୋଇଗଲାଣି। ସତରେ କ’ଣ ମୋଦି ସଂଖ୍ୟାଲଘୁଙ୍କ ବିକାଶ ଚାହୁଁଛନ୍ତି, ନାଁ କେବଳ ଦଳର ଫାଇଦା ପାଇଁ କରୁଛନ୍ତି। କିଛି ଲୋକ ମୋଦିଙ୍କ ଏହି ଫଏସଲାଗୁଡ଼ିକୁ ସ୍ୱାଗତ କରିଥିବା ବେଳେ କିଛି ଲୋକ ଏହାକୁ ସଂଖ୍ୟାଲଘୁଙ୍କ ବିଶ୍ୱାସ ଜିତିବା ପାଇଁ ରାଜନୀତି ବୋଲି କହୁଛନ୍ତି। ବିରୋଧୀ ଦଳଙ୍କ କହିବା କଥା ଯେ ଚଳିତ ବର୍ଷ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୧୯ରେ ଲୋକସଭା ନିର୍ବାଚନ ଅଛି। ତେଣୁ ମୋଦିଙ୍କର ଏହି ସବୁ ପଦକ୍ଷେପ ଆଉ କିଛି ନୁହେଁ, କେବଳ ଭୋଟ ପାଇଁ ରଣନୀତି।