ମୋଦି-୨ ସରକାରଙ୍କ ପ୍ରଥମ ୫୦ ଦିନର ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ବିପୁଳ ଜନମତ ସହ ଦ୍ୱିତୀୟଥର କ୍ଷମତାକୁ ଆସିଥିବା ମୋଦି ସରକାର, ଆଜି ତାଙ୍କ ଦ୍ଵିତୀୟ ପାଳିର ୫୦ ଦିନ ପୂରଣ କରିଛନ୍ତି। ଏହି ୫୦ ଦିନ ମଧ୍ୟରେ ମୋଦି-୨ ସରକାର ଦେଶବାସୀଙ୍କ ପାଇଁ କ’ଣ କରିଛନ୍ତି, ତା’ର ରିପୋର୍ଟ କାର୍ଡ ଆଜି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାର୍ବଜନୀନ କରିଛନ୍ତି।

ସେ କହିଛନ୍ତି, ମୋଦି-୨ ସରକାର କଠିନ ପରିଶ୍ରମ କରିବା ସହ ସଫଳତାର ସହ କାର୍ଯ୍ୟ କରୁଛନ୍ତି। ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଭରପୂର ପ୍ରୟାସ କରାଯାଉଛି। ସଂସ୍କାର ପ୍ରକ୍ରିୟା, ସମସ୍ତଙ୍କ ପାଇଁ ବିକାଶ ଓ ନ୍ୟାୟ ହେଉଛି ସରକାରଙ୍କ ପ୍ରାଥମିକତା।

କୃଷକ, ସୈନିକ, ଯୁବବର୍ଗ, ଶ୍ରମିକ, ବ୍ୟବସାୟୀ, ଗବେଷଣା, ପଡ଼ୋଶୀ ରାଷ୍ଟ୍ର ସହ ଉତ୍ତମ ସମ୍ପର୍କ, ନିବେଶ, ଭିତ୍ତିଭୂମିର ବିକାଶ, ଦୁର୍ନୀତି ବିରୋଧରେ ସଂଗ୍ରାମ ଏବଂ ସାମାଜିକ ନ୍ୟାୟ ଆଦି ସରକାରଙ୍କ ପ୍ରାଥମିକତା। ସବୁ କୃଷକମାନଙ୍କୁ ଏବେ ୬୦୦୦ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଉଛି।

ଅନେକ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ ଦୁଇ ଗୁଣା ବୃଦ୍ଧି କରାଯାଇଛି। କେତେକ କ୍ଷେତ୍ରରେ ୨୦୧୪ ମୂଲ୍ୟ ତୁଳନାରେ ୩ ଗୁଣା କରାଯାଇଛି। ୧୦,୦୦୦ କୃଷକ ଉତ୍ପାଦକ ସଂଗଠନ ଗଠନ କରାଯାଇଛି। ଶ୍ରମ ଆଇନରେ ପରିବର୍ତ୍ତନ କରାଯିବା ଦ୍ୱାରା ମଜୁରି ଏବଂ ଶ୍ରମ ସୁରକ୍ଷା ମାଧ୍ୟମରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ୪୦ କୋଟି ବ୍ୟକ୍ତି ଲାଭବାନ ହେବେ।

ପ୍ରଥମ ଥର ପାଇଁ ବ୍ୟବସାୟୀ ମାନଙ୍କୁ ପେନସନ ପ୍ରଦାନ କରାଯାଉଛି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ (ପିଏସବି) ଗୁଡ଼ିକର ପୁନଃ ପୁଞ୍ଜିଯୋଗାଣ ଲାଗି ୭୦,୦୦୦ କୋଟି ଟଙ୍କା ଦିଆଯାଇଛି। ଭାରତ ୫ ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ଗତି କରୁଛି।

ଭିତ୍ତିଭୂମି ବିକାଶ ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ଭାରତକୁ ୫ ଟ୍ରିଲିଅନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଆଉ ଏକ ସ୍ୱପ୍ନ ହୋଇ ରହିନାହିଁ ବରଂ ଏହାକୁ ହାସଲ କରିବା ପାଇଁ ଏହି ୫୦ ଦିନ ମଧ୍ୟରେ ଏକ କାର୍ଯ୍ୟଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି ।”