କାହାପାଇଁ ସେ ରାମଚନ୍ଦ୍ର ତ କାହାପାଇଁ ଅବିବାହିତ

ନୂଆଦିଲ୍ଲୀ: “ଜଣେ ଶିକ୍ଷିତ ମହିଳା ହୋଇ ଜଣେ ଶିକ୍ଷୟିତ୍ରୀଙ୍କୁ ଏଭଳି କହିବା ତାଙ୍କ ପକ୍ଷରେ ଅନୁଚିତ୍‌। ମୁଁ ତାଙ୍କ କଥାକୁ ଠିକ୍‌ ବୋଲି ମନେ କରୁନି। ଏପରି କହି ସେ ଖାଲି ଜଣେ ବ୍ୟକ୍ତିଙ୍କୁ ନୁହେଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି। ସେ ମୋ ପାଇଁ ବହୁତ ସମ୍ମାନାସ୍ପଦ। ସେ ମୋ ପାଇଁ ଭଗବାନ ଶ୍ରୀ ରାମଚନ୍ଦ୍ର।”

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲ ଦେଇଥିବା ବୟାନକୁ ଟିପ୍ପଣୀ କରି ଏଭଳି ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପତ୍ନୀ ଯଶୋଦାବେନ୍‌।

ବୁଧବାର ଏକ ବିବୃତ୍ତିରେ ରାଜ୍ୟପାଳ ଆନନ୍ଦିବେନ୍‌ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବିବାହିତ। ରାଜ୍ୟର ଏକ ପ୍ରମୁଖ ଖବରକାଗଜରେ ନିଜ ମତ ଉପସ୍ଥାପନ କରି ଆନନ୍ଦିବେନ୍‌ ଏପରି କଥା କହିଥିଲେ। ଯାହାକୁ ପଢିବା ପରେ ଯଶୋଦେବେନ୍‌ ଏହା କହିଛନ୍ତି।

ଯଶୋଦାବେନ୍‌ କହିଛନ୍ତି- “ମୁଁ ମହାମହିମ ରାଜ୍ୟପାଳଙ୍କ ବିବୃତ୍ତି ପଢିବା ପରେ ଅଶ୍ଚର୍ଯ୍ୟ ଚକିତ ହୋଇଗଲି। ୨୦୧୪ ସାଧାରଣ ନିର୍ବାଚନ ବେଳେ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ଖୋଦ୍‌ ପ୍ରଧାନମନ୍ତ୍ରୀ ମୋଦି ମୋତେ ବିବାହ କରିଥିବା ସତ୍ୟପାଠରେ ଦର୍ଶାଇଥିଲେ।”

ନିଜ ଭାଇ ଅଶୋକ ମୋଦିଙ୍କ ମୋବାଇଲ ଫୋନ୍‌ରେ ଏକ ଭିଡିଓ ସୁଟ୍‌ କରି ନିଜ କ୍ଷୋଭ ପ୍ରକାଶ କରିଛନ୍ତି ଯଶୋଦାବେନ୍‌।  ଉତ୍ତର ଗୁଜୁରାଟର ଉନ୍‌ଝା ସହରରେ ଖବର ସରବରାହ ସଂସ୍ଥା IANSକୁ ଏକ ସାକ୍ଷାତକାରରେ ସେ ଏହା କଥା କହିଛନ୍ତି। ତେବେ ଏହି ଭିଡିଓ ଭାଇରାଲ ହୋଇଛି କି ନାହିଁ ସେ ନେଇ କିଛି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଖବରଟି ଦୈନିକ ଖବର କାଗଜ “ଦିବ୍ୟ ଭାସ୍କର”ର ଗତ ୧୯ ତାରିଖ ସଂସ୍କରଣର ପ୍ରଥମ ପୃଷ୍ଠା ମଣ୍ଡନ କରିଥିଲା।