ଭାଗ୍ୟବାନ ମୋଦି- ତେଲ ଦର କମୁଛି!

ପୁଣି ଥରେ ଏହି ଇନ୍ଧନ ତୈଳ ବା ପେଟ୍ରୋଲିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସହଯୋଗୀ ବନ୍ଧୁର ଭୂମିକା ଗ୍ରହଣ କରିବାକୁ ଯାଉଛି।

ନୂଆଦିଲ୍ଲୀ: ଡକ୍ଟର ମନମୋହନ ସିଂହଙ୍କ ଦ୍ୱିତୀୟ ଦଫା ପ୍ରଧାନମନ୍ତ୍ରିତ୍ୱ ବା ଉପା-୨ ଅମଳରେ ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ତୈଳ ପେଟ୍ରୋଲିୟମ ଦର ହୁ ହୁ ହୋଇବଢ଼ିବାରୁ ଭାରତୀୟ ବଜାର ଉପରେ ତାହାର ଗୁରୁତର ପ୍ରଭାବ ପଡ଼ିଥିଲା। ସରକାର ପେଟ୍ରୋଲ ଦର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ତେଣୁ ତୈଳ ଗ୍ରାହକମାନେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ଏହାର ଫାଇଦା ନେଇଥିଲେ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ। ମୁଖ୍ୟତଃ ତୈଳ ଦରବୃଦ୍ଧି ଓ ଦୁର୍ନୀତିକୁ ପ୍ରସଙ୍ଗ କରି ସେ ନିର୍ବାଚନ ଜିତିଲେ ଓ ପ୍ରଧାନମନ୍ତ୍ରୀ ହେଲେ। ସେ ପ୍ରଧାନମନ୍ତ୍ରୀ ହେବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ତୀବ୍ର ଗତିରେ ହ୍ରାସ ପାଇଥିଲା। ତାହାର ଫାଇଦା ଭାରତର ଉପଭୋକ୍ତାମାନେ ପାଇଲେ ନାହିଁ। ସରକାର ବଢ଼ିଥିବା ଦର କମେଇଲେ ନାହିଁ। ଏହା ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଲା।

ଏବେ ପୁଣି ଥରେ ଏହି ଇନ୍ଧନ ତୈଳ ବା ପେଟ୍ରୋଲିୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ସହଯୋଗୀ ବନ୍ଧୁର ଭୂମିକା ଗ୍ରହଣ କରିବାକୁ ଯାଉଛି। ଭାରତର ଆର୍ଥନୀତିକ ଅଭିବୃଦ୍ଧିର ଗତି ମନ୍ଥର ହେବା ଏବଂ ଏହାକୁ ନେଇ ଶିଳ୍ପ ଓ ବଜାରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ବୋଲି ଚାରି ଆଡ଼ୁ ଚିତ୍କାର ଉଠୁଥିବାବେଳେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟଯୁଦ୍ଧର ପରିଣତି ସ୍ୱରୂପ ଆମେରିକା ଅଶୋଧିତ ତୈଳ ଦର ୩ ପ୍ରତିଶତ ହ୍ରାସ ପାଇ ବ୍ୟାରେଲ ପିଛା ୫୩.୫୮ ଡଲାରରେ ପହଞ୍ଚିଛି। ସେହିପରି ବିଶ୍ୱ ବେଞ୍ଚମାର୍କ ବ୍ରେଣ୍ଟ ତୈଳ ଦର ବ୍ୟାରେଲ ପିଛି ୨ ପ୍ରତିଶତ ବା ୧.୧୯ ଡଲାର ହ୍ରାସ ପାଇ ବ୍ୟାରେଲ ପିଛା ୫୮.୭୫ ଡଲାରରେ ପହଞ୍ଚିଛି। ଡକ୍ଟର ସିଂହଙ୍କ ସମୟରେ ଏହି ଦର ବ୍ୟାରେଲ ପିଛା ୧୩୦ ଡଲାର ଟପିଥିଲା। କିନ୍ତୁ ସେତେବେଳେ ସାଧାରଣ ଖାଉଟି ପାଇଁ ପେଟ୍ରୋଲ ଦର ଯାହା ଥିଲା ଏବେ ମଧ୍ୟ ଊଣାଅଧିକେ ସେଇଆ ଅଛି।

ଏବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ଭାରତୀୟ ଅର୍ଥନୀତି ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ। ଏଥିଯୋଗୁଁ ଭାରତର ବାଣିଜ୍ୟ ନିଅଣ୍ଟ ହ୍ରାସ ପାଇବ। ତୈଳ, ସାର ଓ ଆନୁସଙ୍ଗିକ ଅନ୍ୟାନ୍ୟ ଅନେକ ସାମଗ୍ରୀ ଉପରେ ସରକାରଙ୍କ ରିହାତି ଖର୍ଚ୍ଚ ମଧ୍ୟ ନିମ୍ନଗାମୀ ହେବ। ସେହିପରି ମୁଦ୍ରାସ୍ଫୀତି ହାର ମଧ୍ୟ ତଳକୁ ଖସିବ।

ଦର କମିଲେ ଏହାର ଚାହିଦା ବୃଦ୍ଧି ପାଇବ। ଡିଜେଲକୁ କୃଷି କାର୍ଯ୍ୟରେ ବ୍ୟବହାର କରୁଥିବା କୃଷକମାନଙ୍କର ଖର୍ଚ୍ଚ କମିବ। ଚାଷର ଇନ୍‌ପୁଟ୍‌ କଷ୍ଟ ବା ଚାଷ ଖର୍ଚ୍ଚ କମିଲେ ଚାଷୀର ଆୟ ବୃଦ୍ଧି ପାଇବ। ସରକାରଙ୍କ ରିହାତି ବୋଝ ହ୍ରାସ ପାଇଲେ ସେଇ ଟଙ୍କାରେ ସରକାରଙ୍କର ସାମାଜିକ ଓ ଭିତ୍ତିଭୂମି ଖର୍ଚ୍ଚ ବୃଦ୍ଧି ପାଇବ। ଏହା ଫଳରେ ଅର୍ଥନୀତିର ଅଭିବୃଦ୍ଧିର ଗତି ପୁଣି ଥରେ ତ୍ୱରାନ୍ୱିତ ହେବ।

ମାକ୍ବାରି କ୍ୟାପିଟାଲ ନାମକ ଏକ ସଂସ୍ଥାର ରିପୋର୍ଟ ଅନୁସାରେ ପ୍ରତି ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦ ଡଲାର ଖସିଲେ ଆମଦାନୀ ଖର୍ଚ୍ଚ ଏବଂ ବାଣିଜ୍ୟ ନିଅଣ୍ଟ ପରିମାଣ ୯୦୦-୧୦୦୦ କୋଟି ଡଲାର ବା ଜିଡିପିର ୦.୪୩% କମିଥାଏ। ଏହା ନିଶ୍ଚୟ ମୋଦି ସରକାରଙ୍କ ପାଇଁ ଏକ ଅଶ୍ୱାସନାର ବିଷୟ।

modi୨୦୧୪ ମେ ମାସରେ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୮ ଡଲାର ଥିଲା। ମୋଦିଙ୍କ ତୃତୀୟ ବର୍ଷ ବେଳକୁ ଏହା ବ୍ୟାରେଲ ପିଛା ୪୮ ଡଲାରକୁ ଖସି ଆସିଥିଲା। କିନ୍ତୁ ସରକାର ସେହି ଅନୁସାରେ ତୈଳ ଦର ହ୍ରାସ କଲେ ନାହିଁ। ବରଂ ତୈଳ ଉପରେ ଟିକସ ବଢ଼ାଇ ଅଧିକ ପାଣ୍ଠି ସଂଗ୍ରହ କଲେ ଓ ସେହି ପାଣ୍ଠିରେ ଅନେକ ସାମାଜିକ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କଲେ। ତାହା ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି କରିବାରେ ସହାୟକ ହେଲା।

ଏବେ ପୁଣି ଥରେ ସେହିପରି ପରିସ୍ଥିତି ସୃଷ୍ଟି ହୋଇଛି। ବିଶ୍ୱ ବଜାରେ ତୈଳ ଦର ହ୍ରାସକୁ ଲକ୍ଷ୍ୟରେ ରଖି ସରକାର ଚଳିତ ଆର୍ଥିକ ବର୍ଷର ବଜେଟରେ ତେଲ ଉପରେ ଲିଟର ପିଛା ୨ ଟଙ୍କାର ଟିକସ ବୃଦ୍ଧି କରି ୨୦ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଅଟକଳ କରିଛନ୍ତି। ବିଶ୍ୱ ତୈଳ ଦର ହ୍ରାସ ପାଇ ଚାଲିଥିବାରୁ ଏହା ଉପରେ ପୁଣି ଥରେ ଟିକସବୃଦ୍ଧିର ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।

୨୦୧୪ ପରେ ବିଶ୍ୱ ବଜାରେ ଅଶୋଧିତ ତୈଳ ଦର ୨୦୧୭ ଯାଏଁ ବୃଦ୍ଧି ପାଇଥିଲା। ୨୦୧୮ ମେ ମାସରେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟକୁ ବ୍ରେଣ୍ଟ ସୂଚକାଙ୍କରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୮୦ ଡଲାରକୁ ଛୁଇଁଥିଲା। ସେତେବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ତେଲ ଉପରେ ଟିକସ ହାର କମାଇଥିଲେ। କିନ୍ତୁ କର୍ଣ୍ଣାଟକ ନିର୍ବାଚନ ପରେ ପୁଣି ଥରେ ଦର ବଢ଼ିଥିଲା। ଏହା ପରଠୁ, ଅଳ୍ପ କିଛି ଦିନକୁ ଛାଡ଼ିଦେଲେ, ବିଶ୍ୱବ ବଜାରରେ ତେଲ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଗତ ମେ’ ମାସରେ ଦର ଥିଲା ବ୍ୟାରେଲ ପିଛା ୭୦ ଡଲାର। ଏବେ ତାହା ୬୦ ଡଲାର ତଳକୁ ଖସି ଆସିଛି।

ଏହା ମୋଦି ସରକାରଙ୍କ ପାଇଁ ଆଶୀର୍ବାଦ ଭାବେ କାମ କରୁଛି। ଆର୍ଥନୀତିକ ଅଭିବୃଦ୍ଧିରେ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ଦୂର କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକଗୁଡ଼ିଏ ପ୍ୟାକେଜ ଘୋଷଣା କରିଛନ୍ତି। ସେଥିପାଇଁ ଅର୍ଥର ଆବଶ୍ୟକତା ପ୍ରଚୁର। ବିଶ୍ୱ ବଜାରରେ ତୈଳ ଦରହ୍ରାସ ପରିପ୍ରେକ୍ଷୀରେ ସରକାର ଦେଶ ଭିତରେ ଏହା ଉପରେ ଟିକସ ବୃଦ୍ଧି କରି ପ୍ରଚୁର ପାଣ୍ଠି ସଂଗ୍ରହ କରିପାରିବେ ଓ ତାହା ସମ୍ଭାବ୍ୟ ମାନ୍ଦାବସ୍ଥାର ମୁକାବିଲା କରିବାରେ ସହାୟକ ହୋଇପାରେ।