କଂଗ୍ରେସ ନା ପରାଜୟ ସ୍ୱୀକାର କରେ ନା ବିଜୟ ସମ୍ଭାଳିପାରେ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ଦ୍ୱିତୀୟ ଦିନରେ କଂଗ୍ରେସକୁ ଟାର୍ଗେଟ୍‌ କରିବା ଚାଲୁ ରଖିଛନ୍ତି। ଗତକାଲି ଲୋକସଭାରେ କଂଗ୍ରେସକୁ ସମାଲୋଚନା କରିବା ପରେ ଆଜି ରାଜ୍ୟସଭାରେ ମଧ୍ୟ ଭୋଟିଂ ମେସିନ୍‌, ସିଟିଜେନ୍‌ଶିପ୍‌ ବିଲ୍‌ ଏବଂ ରାଜ୍ୟସଭାରେ ବିଲ୍‌ ପାରିତ ହେବାକୁ ନେଇ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫାଠାରୁ ଆରମ୍ଭ କରି ବିଜୟ ଓ ପରାଜୟରେ କଂଗ୍ରେସ ଅଥୟ ହେଉଥିବା ନେଇ କଟୁ ସମାଲୋଚନା କରିଛନ୍ତି।

ସେ ସଂସଦରେ କହିଛନ୍ତି, କଂଗ୍ରେସ ନା ବିଜୟ ସମ୍ଭାଳିପାରେ ନା ପରାଜୟକୁ କେବେ ସ୍ୱୀକାର କରେ। ସେ କହିଛନ୍ତି, କଂଗ୍ରେସ ଏକା ସାଥିରେ ୩ଟି ବଡ଼ ରାଜ୍ୟରେ ଜିତିଥିଲେ ମଧ୍ୟ ସେହିସବୁ ରାଜ୍ୟରୁ ଏବେ କିଭଳି ଖବର ଆସୁଛି ସମସ୍ତେ ଜାଣନ୍ତି। ଗଣତନ୍ତ୍ର ବିପଦରେ କହି ଅନ୍ୟମାନଙ୍କୁ ଦୋଷ ଦେବା ବନ୍ଦ କରି କଂଗ୍ରେସ ଆତ୍ମସମୀକ୍ଷା ଆରମ୍ଭ କରୁ।

ଏକ ସ୍ଥିର ସରକାର ପାଇଁ ୨୦୧୯ରେ ଲୋକେ ଜନାଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି। ଏଥି ସହ କଂଗ୍ରେସର ପରାଜୟକୁ ଦେଶର ପରାଜୟ ବୋଲି କଂଗ୍ରେସର ଜଣେ ସାଂସଦ ଦେଇଥିବା ବିବୃତି ଲଜ୍ଜାଜନକ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, ୱାୟନାଡ୍‌ରେ କ’ଣ ଭାରତ ହାରିଯାଇଥିଲା। ରାଏବରେଲୀରେ କ’ଣ ଭାରତ ହାରିଯାଇଥିଲା। ଆପଣ କ’ଣ କହିବାକୁ ଚାହାନ୍ତି? ଏୟା କହୁଛନ୍ତି ଯେ କଂଗ୍ରେସର ପରାଜୟରେ ଦେଶର ପରାଜୟ। ଅହଂକାରୀ ହେବାର ବି ଗୋଟେ ସୀମା ଥାଏ।

ବିଜେପି ଯେତେବେଳେ ସଂସଦରେ ୨ଟି ସଦସ୍ୟରେ ସୀମିତ ଥିଲା, ସମସ୍ତେ ଗୃହରେ ଆମ ଉପରେ ହସୁଥିଲେ। କିନ୍ତୁ ଆମେ ତାକୁ ଗ୍ରହଣ କଲୁ। ଏହାପରେ ଆମେ ବହୁତ ଉନ୍ନତି କରିଛୁ ଏବଂ ଦଳକୁ ସଶକ୍ତ କରିଛୁ। କିନ୍ତୁ କଂଗ୍ରେସ ପରାଜୟ ପରେ ଯୋଗ ଦିବସକୁ ପରିହାସ କରାଯାଉଛି ଓ  ମେକ୍‌ ଇନ୍‌ ଇଣ୍ଡିଆକୁ ନେଇ ବ୍ୟଙ୍ଗ କରାଯାଉଛି।  ଝାରଖଣ୍ଡ ମବ୍‌ ଲିଞ୍ଚିଂ ଘଟଣାରେ ସେ କହିଥିଲେ, ଯାହା ହେଲା ସେଥିପାଇଁ ଆମେ ଦୁଃଖିତ। କିନ୍ତୁ ଆମେ ଏହାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ। ଏଥିପାଇଁ ପୂରା ରାଜ୍ୟକୁ କେମିତି ଦାୟୀ କରିପାରିବା? ସେହି ରାଜ୍ୟରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଦେଶକୁ ବିଭିନ୍ନ କ୍ଷେତ୍ରରେ ପ୍ରତିନିଧିତ୍ୱ କରିଛନ୍ତି ବୋଲି ସେ କହିଥିଲେ।