ଇମ୍ରାନ୍‌ ନୁହେଁ ଜିନ୍‌ପିଙ୍ଗଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: କିର୍ଗିଜିସ୍ତାନର ରାଜଧାନୀ ବିଶ୍‌କେକ୍‌ଠାରେ ଆୟୋଜିତ ହେବାକୁ ଥିବା ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ)ର ବୈଠକରେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଭେଟିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଯଦିଓ ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏପରି କୌଣସି ବୈଠକ ନିର୍ଦ୍ଧାରିତ ହୋଇନି ବୋଲି କୁହାଯାଇଥିଲେ ହେଁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରାଯାଇନଥିଲା।

ତେବେ ଭାରତରେ ବିଜେପିର ବୃହତ୍‌ ବିଜୟ ସହ ଲଗାତାର ଦ୍ୱିତୀୟ ବାର ସରକାରକୁ ଫେରିବା ପରେ ମୋଦି ଏବଂ ଜିନ୍‌ପିଙ୍ଗ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିବେ। ଜିନ୍‌ପିଙ୍ଗ ଜୁନ୍‌ ୧୨ରୁ ୧୬ ତାରିଖ ଯାଏ କିର୍ଗିଜ୍‌ସ୍ତାନ ଏବଂ ତାଜିକିସ୍ତାନ ଗସ୍ତରେ ଯିବାର ଅଛି ବୋଲି ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲୁ କାଙ୍ଗ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।

ଚାଇନାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରି ଗତ ସପ୍ତାହରେ କହିଥିଲେ ଯେ ଦୁଇ ରାଷ୍ଟ୍ରମୁଖ୍ୟ ଏସ୍‌ସିଓ ସମ୍ମିଳନୀ ସମୟରେ ଏକ ବୈଠକରେ ମିଳିତ ହେବେ।

ଗତବର୍ଷ ଉହାନ୍‌ଠାରେ ଏହି ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭେଟ ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ନେଇଥିଲା। ଗତ ବର୍ଷ ବିଭିନ୍ନ ସମ୍ମିଳନୀ ଅବସରରେ ମୋଦି ଏବଂ ଜିନ୍‌ପିଙ୍ଗ ପରସ୍ପରକୁ ୪ଥର ଭେଟିବା ସହ ଆଲୋଚନା କରିଥିଲେ। ଏହା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀଯୁକ୍ତ ମିଶ୍ରି ପୂର୍ବରୁ ସ୍ପଷ୍ଟ କରିଛନ୍ତି।