ଅଚାନକ ପାକିସ୍ତାନ ଯାଇ ସରିଫଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଅଚାନକ ପାକିସ୍ତାନ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିପକ୍ଷ ନୱାଜ ସରିଫଙ୍କୁ ସାକ୍ଷାତ କରିଛନ୍ତି। ଏହା ମୋଦିଙ୍କର ପ୍ରଥମ ପାକିସ୍ତାନ ଗସ୍ତ। ଆଜି ନୱାଜ ସରିଫଙ୍କ ଜନ୍ମଦିନ ମଧ୍ୟ। ଏପରି ଦିନରେ ମୋଦିଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରରେ ଆଉ ଏକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ମୋଦି ଲାହୋରରେ ପହଞ୍ଚିବା ପରେ ସରିଫ ତାଙ୍କୁ ସ୍ୱାଗତ କରିବା ସହ ପାଛୋଟି ନେଇଥିଲେ। ମୋଦି ମଧ୍ୟ ସରିଫଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଉଭୟରେ ଏୟାରପୋର୍ଟରୁ ହେଲିକପ୍ଟରେ ଯାଇଥିଲେ।

ଲାହୋର ଗସ୍ତ ପୂର୍ବରୁ ଆଜି ମୋଦି ଆଫଗାନିସ୍ତାନର ନୂଆ ସଂସଦକୁ ଉଦଘାଟନ କରିବା ସହ ଉଭୟ ସଦନକୁ ସମ୍ବୋଧିତ କରିଥିଲେ। ଗତକାଲି ମୋଦି ରୁଷ ଗସ୍ତ ଶେଷ କରି ଆଜି ସକାଳୁ ଆଫଗାନିସ୍ତାନରେ ପହଞ୍ଚି ଥିଲେ। ସେଠାରେ ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ମୋଦି ଆଫଗାନ ରାଷ୍ଟ୍ରପତି ଅସରଫ ଘନିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭାରତ ପକ୍ଷରୁ ନିର୍ମାଣ କରାଯାଇଥିବା ଆଫଗାନିସ୍ତାନର ନୂଆ ସଂସଦ ଭବନକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି।

ମୋଦି ପାକିସ୍ତାନ ଯିବା ନେଇ ପୂର୍ବରୁ କୌଣସି ସୂଚନା ନ ଥିଲା। କାବୁଲରୁ ସେ ସିଧାସଳଖ ଲାହୋର ଗସ୍ତ କରିଥିବା ଟ୍ୱିଟ୍ କରି ଜଣାଇଛନ୍ତି।

ମୋଦିଙ୍କ ଏହି ଅଚାନକ ଗସ୍ତକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସ୍ୱାଗତ କରିବା ସହ ପଡୋଶୀ ଦେଶଙ୍କ ସହ ଏଭଳି ସମ୍ପର୍କ ରହିବା ଉଚିତ୍ ବୋଲି କହିଛନ୍ତି। ତେବେ ମୋଦିଙ୍କ ଏହି ଗସ୍ତକୁ କଂଗ୍ରେସ କଡ଼ା ସମାଲୋଚନା କରିଛି।