ମୋଦି କହିଲେ ନାରୀ ଆଉ ନୁହଁ ଅବଳା ଦୁର୍ବଳା, ୧୦ ପୁଅ ସହ ଜଣେ ଝିଅ ସମକକ୍ଷ  

ନୂଆଦିଲ୍ଲୀ: ମନ୍‌କୀ ବାତ୍‌ରେ ମହିଳାଙ୍କୁ  ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ପ୍ରଧାନ ମନ୍ତ୍ରୀ କହିଛନ୍ତି ଆଜି ଦେଶର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ବେଶ ଉନ୍ନତି ହୋଇଛି। ସେ କଳା ହେଉକି ସଂସ୍କୃତି , ବିଜ୍ଞାନ ହେଉ କି ଭାଷ୍କର୍ଯ୍ୟ ସବୁଥିରେ ମହିଳାମାନଙ୍କ ଉଲ୍ଲେଖନୀୟ ଭାଗିଦାରୀ ରହିଛି। ମହିଳାଙ୍କୁ ସମ୍ମାନ ଦେବା ଆମ ସଂସ୍କୃତିରେ ରହିଛି।  ମନ୍‌କୀ ବାତ୍‌ରେ ଆଜି ମୋଦି ନାରୀ ଶସକ୍ତିକରଣ ଉପରେ ଏମିତି କିଛି ମତ ରଖିଥିଲେ। ସେ କହିଥିଲେ ଯେ, ଏବେ ଝିଅମାନେ ପୁଅମାନଙ୍କ ଠାରୁ କେଉଁ ଗୁଣରେ କମ୍‌ ନୁହନ୍ତି। ସେହିପରି ଶକ୍ତି ଓ ସାମର୍ଥ୍ୟ କ୍ଷେତ୍ରରେ ଜଣେ ଝିଅ୧୦ଟି ପୁଅ ସହ ସମକକ୍ଷ ବୋଲି ମୋଦି କହିଥିଲେ। ଏହି ଅବସରରେ ମୋଦି ମହାକାଶ ବିଜ୍ଞାନୀ କଳ୍ପନା ଚାଓ୍ଵଲାଙ୍କ ଅଦମ୍ୟ ସାହସିକତାକୁ ମନେ ପକାଇଥିଲେ।

ସେ କହିଥିଲେ ଯେ, ଫେବ୍ରୁଆରି ୧ ହେଉଛି କଳ୍ପନାଙ୍କ ପୂଣ୍ୟତିଥି।  କଲମ୍ବିଆ ସ୍ପେସ୍‌ ସଟଲ୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଆମକୁ ଛାଡ଼ି ଚାଲିଗଲେ। କିନ୍ତୁ ବିଶ୍ୱର କୋଟି କୋଟି ଯୁବପିଢୀଙ୍କ ସେ ପ୍ରେରଣାର ଉତ୍ସ ପାଲଟି ଗଲେ ବୋଲି ସେ କହିଛନ୍ତି।  ସେହିପରି ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବାଇକ୍‌ ଚଳାଇ ଡେୟାର ଡେଭିଲ୍‌ ଶୋ’ ପ୍ରଦର୍ଶନ କରିଥିବା ବିଏସ୍‌ଏଫ୍‌ର ମହିଳା କର୍ମଚାରୀଙ୍କୁ ମୋଦି ଖୁବ୍‌ ପ୍ରଶଂସା କରିଥିଲେ ।