ସରକାର କେବେହେଲେ ବିକାଶର ମାର୍ଗରୁ ପଥଭ୍ରଷ୍ଟ ହୋଇନାହାନ୍ତି: ମୋଦି

ନୂଆଦିଲ୍ଲୀ:ସଂସଦରେ ରାଷ୍ଟପ୍ରତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିତର୍କରେ ଅଂଶଗ୍ରହଣ କରିଥିବାରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ, ନୂତନ ଭାରତର ପ୍ରତିଫଳନ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିବା ସେ ଉଲ୍ଲେଖ କରିଥିଲେ।

୨୦୧୯ ଲୋକସଭା ନିର୍ବାଚନରେ ମିଳିଥିବା ଦୃଢ଼ ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତବାସୀ ସରକାରଙ୍କ ପ୍ରଦର୍ଶନକୁ ଆକଳନ କରିବା ପରେ ପୁଣିଥରେ ଏକ ସ୍ଥିର ସରକାରକୁ ନିର୍ବାଚିତ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଦର୍ଶାଇଛି ଯେ ଭାରତବାସୀ ରାଷ୍ଟ୍ରର କଲ୍ୟାଣ ଚାହୁଁଛନ୍ତି। ଏହି ଉତ୍ସାହ ଚମତ୍କାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୧୩୦ କୋଟି ଭାରତବାସୀଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତନ ଆଣିବା ଲାଗି କାମ କରିବାର ସୁଯୋଗ ମିଳିବା ସନ୍ତୋଷଜନକ ବୋଲି ସେ ଉଲ୍ଲେଖ କରିଥିଲେ।

କେନ୍ଦ୍ର ସରକାରଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜନକଲ୍ୟାଣ ଏବଂ ଆଧୁନିକ ଭିତ୍ତିଭୂମିରେ ବିଶ୍ୱାସ କରନ୍ତି। ସରକାର କେବେହେଲେ ବିକାଶର ମାର୍ଗରୁ ପଥଭ୍ରଷ୍ଟ ହୋଇନାହାନ୍ତି କିମ୍ବା ବିକାଶର ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇନାହାନ୍ତି। ଦେଶର ବିକାଶ, ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତିକରଣ ଏବଂ ଆଧୁନିକ ଭିତ୍ତିଭୂମି ଉପଲବ୍ଧ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶ ଦିଗରେ ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ରହିଛି ବୋଲି ତାଙ୍କ ସରକାର ବିଶ୍ୱାସ କରିଥାଏ। ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଖାଦେଇଥିବା କଳାଦିନଗୁଡ଼ିକ ବିଷୟରେ ମଧ୍ୟ ସେ ସଦନକୁ ସ୍ମରଣ କରାଇଦେଇଥିଲେ ।

ସେହିପରି ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର ୧୫୦ ବର୍ଷ ଏବଂ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ଭାରତ ଇତିହାସର ଏକ ଐତିହାସିକ କ୍ଷଣ ବୋଲି ଉଲ୍ଲେଖ କରି ଏହାକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ ଲାଗି ଦେଶର ନାଗରିକମାନେ ଆଗେଇ ଆସିବା ଉଚିତ।

ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ବହୁ ଲୋକାଭିମୁଖୀ ନିଷ୍ପତ୍ତି ନେଇଛନ୍ତି । ଏସବୁ ନିଷ୍ପତ୍ତି ବ୍ୟାପକ ଭାବେ କୃଷକ, ବ୍ୟବସାୟୀ, ଯୁବପିଢ଼ି ଏବଂ ସମାଜର ଅନ୍ୟ ବର୍ଗର ଲୋକମାନଙ୍କୁ ଲାଭାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦେଶକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ।

ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦି ‘ଜଳ ଶକ୍ତି’ ମନ୍ତ୍ରଣାଳୟ ଗଠନ ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ। ଜଳ ସଂରକ୍ଷଣ ପାଇଁ ଦୃଢ଼ ପଦକ୍ଷେପ ନେବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଜଳ ସଙ୍କଟ ଗରିବ ଏବଂ ମହିଳାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ। ପ୍ରତ୍ୟେକ ପରିବାରକୁ ଜଳଯୋଗାଣ ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇଥିଲେ।

ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ମିଳିତ ଉଦ୍ୟମ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଆର୍ଥିକ ସମୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ। ‘ମେକ୍‌ ଇନ୍‌ ଇଣ୍ଡିଆ’ ଏବଂ ଦକ୍ଷତା ବିକାଶର ଗୁରୁତ୍ୱ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ।

ଶ୍ରୀ ମୋଦି କହିଥିଲେ, ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ଏବଂ ଦୁର୍ନୀତି ବିରୋଧରେ ସରକାରଙ୍କ ଲଢ଼େଇ ଜାରି ରହିବ। ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଲାଗି ସରକାର ପ୍ରତିବଦ୍ଧ ବୋଲି କହି ଏକ ନୂତନ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।