ମୋଦି ସରକାର ଶ୍ରମ ଆଇନକୁ ଦୁର୍ବଳ କରି ଦେଇଛନ୍ତି: ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋଦି ସରକାର ଜାଣିଶୁଣି ଶ୍ରମ ଆଇନକୁ ଦୁର୍ବଳ କରି ଦେଉଛନ୍ତି। ଏହାଦ୍ୱାରା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତେବେ ସେ ଓ ତାଙ୍କ ଦଳ ଶ୍ରମିକଙ୍କ ହକ୍ ପାଇଁ ଲଢିବ। କଂଗ୍ରେସ କୃଷକ ପାଇଁ ଯେମିତି ଲଢୁଛି ଶ୍ରମିକଙ୍କ ପାଇଁ ମଧ୍ୟ ସେମିତି ଲଢିବ। ଏଥିରେ ଦଳ ଟିକେ ବି ପଛଘୁଞ୍ଚା ଦେବ ନାହିଁ। ଆମେ ବିଜେପି, ମୋଦି ଓ ଆରଏସଏସ ବିରୋଧରେ ଲଢେଇ ଜାରି ରଖିବୁ। ନୂଆଦିଲ୍ଲୀରେ ଇଣ୍ଡିଆନ ନ୍ୟାସନାଲ ଟ୍ରେଡ୍ ୟୁନିୟନ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ସେ ଏହା କହିଥିଲେ।

ରାହୁଲ ଗାନ୍ଧି ଆହୁରି ମଧ୍ୟ କହିଥିଲେ, ଗୁଜରାଟ, ରାଜସ୍ଥାନ ଓ ହରିୟାଣାରେ ଯେଉଁ ନୂଆ ଶ୍ରମ ଆଇନଗୁଡିକ ପ୍ରସ୍ତୁତ କରାଯାଇଛି ସେଗୁଡିକୁ ଦେଖିଲେ ଲାଗୁଛି ମୋଦି ଶ୍ରମିକମାନଙ୍କୁ ଉପହାସ କରିବା ଆରମ୍ଭ କରିଦେଇଛନ୍ତି। ସେହି ଆଇନଗୁଡିକ ଶ୍ରମିକମାନଙ୍କୁ ବିଦ୍ରୁପ କରୁଛନ୍ତି। ସେ ଶ୍ରମିକ ସଂଘଗୁଡିକୁ ମଧ୍ୟ ଦୁର୍ବଳ କରିଦେବାକୁ ଚାହୁଁଛନ୍ତି।

ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ମୋଦି ସରକାରଙ୍କ ଶ୍ରମ ଆଇନକୁ ସମାଲୋଚନା କରିଥିଲେ।