‘ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବିପଦ’

ଡାଭୋସ୍‌: ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ମାନବ ସମାଜ ପାଇଁ ବଡ଼ ବିପଦ। ଆଉ ପୂରା ବିଶ୍ୱ ଏହା ବିରୋଧରେ ଏକାଠି ଠିଆ ହେବା ଉଚିତ୍। ସ୍ୱିଜରଲାଣ୍ଡର ଡାଭୋସ୍‌ରେ ଆରମ୍ଭ ହୋଇଥିବା ବିଶ୍ୱ ଇକୋନୋମିକ ଫୋରମକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, “ଆତଙ୍କବାଦ ଦ୍ୱାରା ପୂରା ବିଶ୍ୱ କ୍ଷତିଗ୍ରସ୍ତ ହେଉଛି। ଏପରି ସ୍ଥିତିରେ ଆହୁରି ଖରାପ ଲାଗୁଛି ଯେତେବେଳେ କେହି ଏହାକୁ ଭଲ ଆତଙ୍କବାଦୀ ଓ ଖରାପ ଆତଙ୍କବାଦୀ ଭାବେ ବର୍ଣ୍ଣନା କରୁଛନ୍ତି।”

ସେ କହିଛନ୍ତି ଯେ, ଯୁବପୀଢ଼ୀ ରୁଢ଼ିବାଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହେବା ଓ ଉଚ୍ଚ ଶିକ୍ଷିତ ଲୋକେ ଆତଙ୍କବାଦୀ ସହ ସଂପୃକ୍ତ ହେବା ବାସ୍ତବରେ ଅତ୍ୟନ୍ତ ଯନ୍ତ୍ରଣା ଦାୟକ। ପୂରା ବିଶ୍ୱ ଆତଙ୍କବାଦ ବିରୋଧରେ ଲଢ଼େଇ କରିବା ଉଚିତ୍।”

ଜଳବାୟୁ ପରିବର୍ତ୍ତନକୁ ନେଇ ମୋଦି କହିଛନ୍ତି ଯେ, ମାନବ ସଭ୍ୟତା ପାଇଁ ଏହା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଯଦି ଏହା ଉପରେ ବିଶେଷ ଧ୍ୟାନ ନ ଦିଆଯାଏ, ପୂରା ମାନବ ସଭ୍ୟତା ଲୋପ୍ ପାଇବାରେ ଅଧିକ ସମୟ ଲାଗିବ ନାହିଁ।

ଏହି ଅବସରରେ ମୋଦି ଦେଶର ଅର୍ଥବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦେଇଛନ୍ତି। ଗତ ୨୦ ବର୍ଷ ଭିତରେ ଦେଶର ଡିଜିପି ୬ ଗୁଣା ବୃଦ୍ଧି ପାଇଛି। ୧୯୯୭ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡ଼ା ଡାଭୋସ ସମ୍ମିଳନୀରେ ଯୋଗ ଦେଇଥିବା ବେଳେ ସେତେବେଳେ ଭାରତର ଅଭିବୃଦ୍ଧି ହାର ୪.୮ ଥିଲା ବର୍ତ୍ତମାନ ଏହା ୭.୪ରେ ପହଞ୍ଚିଛି, ଯାହାକି ଭାରତର ଦୃଢ଼ ଅର୍ଥ ବ୍ୟବସ୍ଥାକୁ ସୂଚାଉଛି ବୋଲି ମୋଦି କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ସରକାର ଦେଶରେ ବାଣିଜ୍ୟ ଓ ପର୍ଯ୍ୟଟନକୁ  ଗୁରୁତ୍ୱ ଦେଇ ଅନେକ ସଂସ୍କାର ଆଣିଛନ୍ତି। ଏହାର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି।

ଏହି ସମ୍ମିଳନୀରେ ୭୦ଟି ଦେଶର ୩ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେଇଛନ୍ତି।