ଏସସିଓ ବୈଠକ: ଇମ୍ରାନଙ୍କୁ ଚାହିଁଲେ ନାହିଁ କି ହାତ ମିଳାଇଲେନି ପ୍ରଧାନମନ୍ତ୍ରୀ ମୋଦି

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଚାଲିଛି ଏସସିଓ ସମ୍ମିଳନୀ। ଆଜି ଏହି ସମ୍ମିଳନୀର ଦ୍ୱିତୀୟ ଏହି ଅବସରରେ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି। ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ହାତ ମିଳାଇନହାନ୍ତି କି ତାଙ୍କ ଆଡ଼କୁ ଚାହିଁନଥିବା ଦେଖିବାକୁ ମିଳିଛି।

ଏସିସିଓ ବୈଠକରେ ଯୋଗ ଦେବା ପାଇଁ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ହଲରେ ପହଞ୍ଚିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ସେହି ସମୟରେ ହଲର ଗୋଟିଏ କୋଣରେ ବସିଥିଲେ। ମୋଦି ତାଙ୍କ ସାମ୍ନା ଦେଇ ଯାଇଥିଲେ ମଧ୍ୟ ତାଙ୍କୁ ଅନାଇ ନଥିଲେ କି କଥା ହୋଇନଥିଲେ। ସିଧା ଯାଇ ନିଜ ଆସନରେ ବସିଥିଲେ ମୋଦି। ପାକିସ୍ତାନ ପ୍ରଧାନମମନ୍ତ୍ରୀଙ୍କ ଠାରୁ ୬ଟି ଆସନ ଛାଡ଼ି ମୋଦି ବସିଥିବା ଦେଖିବାକୁ ମିଳିଛି।

ଏପରି ଆଚରଣ ଦ୍ୱାରା ମୋଦି ଇମ୍ରାନ ଖାନଙ୍କୁ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ପ୍ରଥମେ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାପରେ ଯାଇ ଆଲୋଚନା ଆରମ୍ଭ ହୋଇପାରିବ। ଯାହା ପୂର୍ବରୁ ଭାରତ ବିଭିନ୍ନ ସମୟରେ କହି ଆସିଛି। ଗତକାଲି ଚୀନ ରାଷ୍ଟ୍ରପତି ଜିଙ୍ଗପିନଙ୍କ ସହ ଆଲୋଚନା ବେଳେ ମଧ୍ୟ ମୋଦି ପାକ ସମର୍ଥିତ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ।

ଏସସିଓ ବୈଠକରେ ଯୋଗ ଦେବା ପାଇଁ ମୋଦିଙ୍କ ପାଇଁ ପାକିସ୍ତାନ ସରକାର ତାଙ୍କ ଆକାଶପଥ ଖୋଲା ରଖିଥିଲେ। ହେଲେ ମୋଦି ଏହାକୁ ଗ୍ରହଣ  ନ କରି  ଏକ ବୁଲାଣିଆ ରୁଟରେ ଓମାନ ଦେଇ କିର୍ଗିଜିସ୍ତାନର ରାଜଧାନୀ ବିଶଶେକ୍ ପହଞ୍ଚିଥିଲେ।