କଂଗ୍ରେସ ମୁକ୍ତ ଭାରତ ମହାତ୍ମା ଗାନ୍ଧିଙ୍କ ବିଚାରଧାରା ଥିଲା: ମୋଦି

ନୂଆଦିଲ୍ଲୀ:ଲୋକସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ଙ୍କ ବଂଶବାଦ ମନ୍ତବ୍ୟ ଉପରେ ପ୍ରହାର କରିଛନ୍ତି ମୋଦି। ସେ କହିଛନ୍ତି ବାହାରେ କଂଗ୍ରେସ କଥା କେହି ଶୁଣୁ ନ ଥିବାରୁ କଂଗ୍ରେସ ଲୋକସଭାରେ କହୁଛି। କଂଗ୍ରେସ ବିକାଶ କାର୍ଯ୍ୟ ଦେଖିପାରୁନି।  ଖାଲି ସେତିକି ନୁହଁ କଂଗ୍ରେସ ମୁକ୍ତ ଭାରତ, ମହାତ୍ମା ଗାନ୍ଧିଙ୍କ ବିଚାରଧାରା ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିବେକାନନ୍ଦ ଯୁବ ଭାରତର ପରିକଳ୍ପନା କରିଥିଲେ। ମହାତ୍ମା ଗାନ୍ଧି ବି ନୂଆ ଭାରତ ଚାହୁଁଥିଲେ।

ଏବେ ରାଷ୍ଟ୍ରପତି ମଧ୍ୟ ଏହିକଥା ଚାହୁଛନ୍ତି, କିନ୍ତୁ କେବଳ କଂଗ୍ରେସ ନୂତନ ଭାରତ ଚାହୁଁ ନାହିଁ। କଂଗ୍ରେସ ମୁକ୍ତ ଭାରତ ମହାତ୍ମାଗାନ୍ଧି ଚାହୁଁଥିଲେ। ଦେଶ ସ୍ୱାଧୀନ ହେବା ପରେ ମାହାତ୍ମା ଗାନ୍ଧି କହିଥିଲେ “ଏବେ ଦେଶକୁ କଂଗ୍ରେସର ଆବଶ୍ୟକତା ନାହିଁ।” ଭାରତକୁ କଂଗ୍ରେସ ମୁକ୍ତ କରାଇବା ଆଇଡିଆ ତାଙ୍କରି ଥିଲା। ସେ ଆହୁରି କହିଥିଲେ ଯେ କଂଗ୍ରେସ ବିଜେପିର ଦୁର୍ନାମ ଗାଇବାରେ ଏତେ ବ୍ୟସ୍ତ ହୋଇଯାଇଛି ଯେ ଦେଶର ବି ଅପମାନ କରୁଛି। କଂଗ୍ରେସକୁ ବିଜେପିର ବିକାଶ କାର୍ଯ୍ୟ ଦେଖା ଯାଉ ନାହିଁ। ବିଜେପି ୯ କଲାବେଳେ କଂଗ୍ରେସକୁ ତାହା ୬ ଭଳି ଦେଖା ଯାଉଛି। କଂଗ୍ରେସ ସବୁବେଳେ ବ୍ୟାଟିଂ ଚାହୁଁଛି ଯାହା ସବୁବେଳେ ମିଳିବା ଅସମ୍ଭବ ବୋଲି ମୋଦି କହିଛନ୍ତି।