ମୋଦି ଓ ଟିନୁ ଜୈନ୍‌ଙ୍କ ଫଟୋ ଶେୟାର କଲେ ତେଜ୍‌ ପ୍ରତାପ

ନୂଆଦିଲ୍ଲୀ: ଶାର୍ପ ସୁଟର୍‌ ମହମ୍ମଦ କୈଫ୍‌ଙ୍କ ସହ ଫଟୋକୁ ନେଇ ଚର୍ଚ୍ଚାରେ ଥିବା ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍‌ ପ୍ରତାପ ଏବେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିକୁ ଟାଗେର୍ଟ କରିଛନ୍ତି। ତେଜ୍‌ ପ୍ରତାପ କହିଛନ୍ତି,“ ମୋ ଇସ୍ତଫା ମାଗିବା ପୂର୍ବରୁ ସେକ୍ସ ରାକେଟ୍‌ ଚଳାଉଥିବା ଟିନୁ ଜୈନ୍‌ଙ୍କ ସହ ଫଟୋ ଉଠାଇଥିବା ମୋଦିଙ୍କର ମଧ୍ୟ ଇସ୍ତଫା ଦାବି କରିବା ଦରକାର।”

ଟିନୁ ଓ ମୋଦିଙ୍କ ଫଟୋ ତେଜ୍‌ ପ୍ରତାପ ଫେସ୍‌ବୁକ୍‌ ଓ ଟ୍ୱିଟ୍‌ରରେ ଶେୟାର କରି ଲେଖିଛନ୍ତି ଟିନୁ ସେକ୍ସ ରାକେଟ୍‌ ଚଳାଇବା ସହ ବିଜେପିର ସଦସ୍ୟ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି  ସମସ୍ତ ବଡ଼ ନେତା ତାଙ୍କ ନିକଟରେ ପହଞ୍ଚୁଥିଲେ।

ଗତ ବୁଧବାର ମହମ୍ମଦ କୈଫ୍‌ଙ୍କ ଫଟୋ ତେଜ୍‌ ପ୍ରତାପଙ୍କ ସହ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହି ସମୟରେ ତେଜ୍‌ ପ୍ରତାପ ସଫେଇ ଦେଇ କହିଥିଲେ, “ମୋ ସହ ହଜାର ହଜାର ଲୋକ ଫଟୋ ଉଠାଉଛନ୍ତି। ମୁଁ ସମସ୍ତଙ୍କୁ ଜାଣି ନ ଥାଏ।”

ଏହା ପୂର୍ବରୁ ଗତ ଶନିବାର ଭାଗଲପୁର ଜେଲ୍‌ରୁ ବାହାରିଥିବା ପୂର୍ବତନ ସାଂସଦ ଶାହାବୁଦ୍ଦିନ୍‌ଙ୍କ ସହ ମହମ୍ମଦ କୈଫ୍‌ଙ୍କ ଫଟୋ ଦେଖିବାକୁ ମିଳିଥିଲା।