ପୁଣି ଚୀନ ଯିବେ ମୋଦି : ହଠାତ୍ ବଦଳିଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ପୁଣି ଥରେ ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଡୋକଲାମ ଉତ୍ତେଜନା ପରେ ପ୍ରଥମ ଥର ଚୀନ ରାଷ୍ଟ୍ରପତି ଜିନ୍ ପିଙ୍ଗ ସହ ସାକ୍ଷାତ ହେବ। ଆସନ୍ତା ୨୭ ଏବଂ ୨୮ ତାରିଖରେ ଦୁଇ ଦିନିଆ ବେଜିଂ ଗସ୍ତ କରିବେ ମୋଦି ।  ଏହି ସମୟରେ ଡୋକଲାମ ସମେତ ବିଭିନ୍ନ ପ୍ରସଙ୍ଗରେ ମୋଦି ଏବଂ ଜିନ୍ ପିଙ୍ଗଙ୍କ ମଧ୍ୟରେ ଆଲୋଚନା ହେବ।  ଏସିଆର ଦୁଇ ପ୍ରମୁଖ ରାଷ୍ଟ୍ର ମୁଖ୍ୟ ମଧ୍ୟରେ ହେବ ଆଲୋଚନା ।  ଏନେଇ ସୂଚନା ଦେଇଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱଙ୍ଗ ଓ୍ୱି ।  ଆସନ୍ତା ଜୁନରେ ଚୀନ ଗସ୍ତରେ ଯାଇଥାନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ହେଲେ ହଠାତ୍ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରି ଏପ୍ରିଲ ୨୭ରେ ଚୀନ ଗସ୍ତ କରିବେ ମୋଦି ।  ଜିନ୍ ପିଙ୍ଗ ତୃତୀୟ ଥର ରାଷ୍ଟ୍ରପିତ୍ ହେବା ପରେ ମୋଦିଙ୍କ ଅଚାନକ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି ।  ଡୋକଲାମରେ ୭୩ ଦିନ ଧରି ଦୁଇ ଦେଶର ସେନା ମଧ୍ୟରେ ଲାଗିରହିଥିଲା ଉତ୍ତେଜନାକୁ ନେଇ ଦୁଇ ଦେଶ ମଧ୍ୟରେ ବଢିଥିଲା ବିବାଦ ।  ହେଲେ ଏମିତି ଏକ ପରିସ୍ଥିକୁ ଭୁଲି ଦୁଇ ଦେଶ ରାଷ୍ଟ୍ରମୁଖ୍ୟ ଆଲୋଚନା କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ  । ମୋଦି-ଜିନ୍ ପିଙ୍ଗଙ୍କ ଆଲୋଚନାକୁ ନୋ-ଷ୍ଟାର୍ଟିଙ୍ଗ ପଏଣ୍ଟ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରୀ ଓ୍ୱଙ୍ଗ ଓ୍ୱି ।

ସେପଟେ ମୋଦି ଚୀନ ଗସ୍ତ ପୂର୍ବରୁ ଦୁଇ ଭାରତୀୟ ମନ୍ତ୍ରୀ ଚୀନ ଗସ୍ତରେ ଯିବେ। ବର୍ତ୍ତମାନ ଚୀନ ଗସ୍ତରେ ଅଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ।  ଏହା ପରେ ୨୪ ତାରିଖରେ ବେଜିଂ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ବେଜିଂ ଗସ୍ତରେ ଥିବା ସୁଷମା ସ୍ୱରାଜ ଚୀନର ରାଷ୍ଟ୍ରପ ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।  ସେହିପରି ମୋଦି-ଜିନ୍ ପିଙ୍ଗଙ୍କ ମଧ୍ୟରେ ଦୁଇ ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଡୋକଲାମ୍ ସହ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ହେଲଥ୍‌ କେୟାର ଉପରେ ଆଲୋଚନା ହେବ। ଏହା ସହ ସତଲେଜ ଏବଂ ବ୍ରହ୍ମପୁତ୍ର ନଦୀ ଉପରେ ବିଚାରବିମର୍ଷ କରାଯିବା ନେଇ ସୂଚନା ମଳିଛି । ସେପଟେ ମୋଦିଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ।

ଆଗରୁ ଅନେକ ଥର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ ହୋଇସାରିଛି ।  ଏହା ପରେ ମଧ୍ୟ ଦୁଇ ଦେଶର ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରିନି।  ତେବେ ଏହି ଗସ୍ତ ପରେ କ’ଣ ରହିବ ଚୀନ ଆଭିମୁଖ୍ୟ ? ଏନ୍ଏସଜିକୁ ନେଇ ଭାରତକୁ ଚୀନ ଠାରୁ ମିଳିବ କି ଗ୍ରୀନ ସିଗ୍‌ନାଲ ? ସମାଧନ ହୋଇ ପାରିବ କି ଦୁଇ ଦେଶର ସୀମା ବିବାଦ ? ଏମିତି ଅନେକ ପ୍ରଶ୍ନକୁ ନେଇ ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ  ମୋଦି।