କାଲି ମୋଦି ଓ ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା: ଡୋକଲାମ ବିବାଦ ପରେ ପ୍ରଥମ ଥର ପାଇଁ ହେବେ ସାମ୍ନାସାମ୍ନି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ଏହି ଆଲୋଚନା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। କେବଳ ଦୁଇ ଦେଶ ନୁହେଁ ସାରା ବିଶ୍ୱ ଏହି ଦୁଇ ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଜାଣିବାକୁ ଅନାଇ ରହିଛି। ଦୁଇ ଦେଶ ମଧ୍ୟର ସୀମା ବିବାଦ ସହ  ଅନେକ ପ୍ରସଂଗରେ ମତଭେଦ ରହିଛି।  ଚୀନ- ପାକିସ୍ତାନ ଇକୋନୋମିକ୍ କରିଡରକୁ ନେଇ ଭାରତ ପ୍ରତିବାଦ ଜାରି ରଖିଛି। ସେହିପରି ଆଣବିକ ଯୋଗାଣକାରୀ ରାଷ୍ଟ୍ରତାଲିକାରେ ଭାରତର ସାମିଲକୁ ଚୀନ ବିରୋଧ କରି ଆସୁଛି। ସେପଟେ ଡୋକଲାମ ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଦୀର୍ଘଦିନ ଧରି ଉତ୍ତେଜନା ମୂଳକ ସ୍ଥିତି ଦେଖାଦେଇଥିଲା। ଏହାପରେ ଦୁଇ ଦେଶ ପକ୍ଷରୁ ବିବାଦର ଆପୋଷ ସମାଧାନ ହୋଇଥିବା ଘୋଷଣା କରାଯାଇଥିଲା। ବ୍ରିକ୍ସ ସମ୍ମିଳନୀ ପୂର୍ବରୁ ଜୁନ ମାସରେ କାଜଖସ୍ତାନର ରାଜଧାନୀ ଆସ୍ତାନାରେ ହୋଇଥିବା ସଂଘାଇ ସହଯୋଗୀ ସଂଘର ବୈଠକରେ ଦୁଇ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଆନୁଷ୍ଠାନିକ ଭାବେ ଭେଟିଥିଲେ।  କିନ୍ତୁ ଜୁଲାଇ ମାସରେ ଜର୍ମାନୀରେ ହୋଇଥିବା ଜି-୨୦ ବୈଠକରେ ମୋଦି ଓ ଜି- ଜିନ ପିଙ୍ଗ ମଧ୍ୟରେ ଅଣଆନୁଷ୍ଠାନିକ ଭେଟ ହୋଇଥିଲା।