ମୋଦିଙ୍କ ପାଇଁ ୩୧ ଲକ୍ଷ ଟଙ୍କାର ଭବ୍ୟ ତମ୍ୱୁ

ଅହମଦାବାଦ: ଶୁକ୍ରବାରଠାରୁ ଗୁଜରାଟର କଚ୍ଛଠାରେ ଆରମ୍ଭ ହୋଇଛି ତିନି ଦିନିଆ ଡିଜିପି ସମ୍ମିଳନୀ। ଏହି ସମ୍ମିଳନୀରେ ଯୋଗ ଦେଇଥିବା ସବୁ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକଙ୍କ ପାଇଁ ନିର୍ମାଣ ହୋଇଛି ତମ୍ୱୁ। ସେହିପରି ଏହି ସମ୍ମିଳନୀକୁ ଗତକାଲି ଉଦଘାଟନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମଧ୍ୟ ତମ୍ୱୁ ତିଆରି କରାଯାଇଛି। ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ରହିବା ପାଇଁ ତିଆରି କରାଯାଇଥିବା ଏହି ତମ୍ୱୁକୁ ନେଇ ଏବେ ଦେଖା ଦେଇଛି ବିବାଦ। ଗୁଜରାଟ କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମିତ ଭବ୍ୟ ତମ୍ୱୁ ପାଇଁ ୩୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।
ଗୁଜରାଟ କଂଗ୍ରେସର ଅଧ୍ୟକ୍ଷ ଭାରତସିଂହ ସୋଲଙ୍କି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜକୁ ଦେଶର ପ୍ରଧାନସେବକ ବୋଲି କହୁଛନ୍ତି। କିନ୍ତୁ ତାଙ୍କ ପାଇଁ ନିର୍ମିତ ତମ୍ୱୁରେ ଅନାବଶ୍ୟକ ଖର୍ଚ୍ଚ କରାଯାଇଛି।

ଅନ୍ୟପକ୍ଷରେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏହି ସମ୍ମିଳନୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ବାର୍ଷିକ ସମ୍ମିଳନୀରେ ଦେଶର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ସମସ୍ତ ପୋଲିସ୍ ଅଧିକାରୀ ଯୋଗ ଦେଇଥିବା ବେଳେ ଜମ୍ମୁ ଓ କାଶ୍ମୀରରୁ କେହି ପ୍ରତିନିଧିତ୍ୱ କରି ନାହାନ୍ତି।