ମୋଦିଙ୍କୁ ପ୍ରଦୂଷଣ ଚିନ୍ତା, ମନ୍ତ୍ରୀ ଚଢ଼ିବେ ଇଲେକ୍ଟ୍ରିକ୍ କାର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୋର ଦେଇ ଆସୁଛନ୍ତି। କିନ୍ତୁ ଲାଗୁଛି ଏଥର ତାଙ୍କ ସରକାର ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଅଣ୍ଟା ଭିଡ଼ିଛି। ବାୟୁ ପ୍ରଦୂଷଣକୁ ରୋକିବାକୁ ମୋଦି ସରକାରଙ୍କ ମନ୍ତ୍ରୀ ସମେତ କିଛି ଅଧିକାରୀ ଆଉ ପେଟ୍ରୋଲ୍ କିମ୍ବା ଡିଜେଲ୍ କାର୍ ବ୍ୟବହାର କରିବେ ନାହିଁ। ସେମାନେ ଇଲେକ୍ଟ୍ରିକ୍‌ କାର ଅବା ବିଦ୍ୟୁତ୍ ଚାଳିତ କାର ଚଢ଼ିବେ। ଆସନ୍ତା ନଭେମ୍ବର ମାସରେ ସେମାନଙ୍କୁ ଦିଆଯିବ ଏହି କାର୍‌।

ବିଶ୍ୱର ସର୍ବାଧିକ ଇନ୍ଧନ ଖର୍ଚ୍ଚ କରୁଥିବା ଦେଶ ଗୁଡିକ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି। ପୁଣି ଟ୍ରାଫିକ ସମସ୍ୟା ଯୋଗୁଁ ପ୍ରତି ବର୍ଷ ଅକାରଣରେ କୋଟି କୋଟି ଟଙ୍କାର ଇନ୍ଧନ ନଷ୍ଟ ହେଉଛି। ତେଣୁ ଖର୍ଚ୍ଚ କମ୍‌ କରିବା ଓ ପ୍ରଦୂଷଣ ରୋକିବା ପାଇଁ ସରକାର ଇଲେକ୍ଟ୍ରିକ କାର କିଣିବା ପାଇଁ ଯାଉଛନ୍ତି।

ସରକାର ୧୦,୦୦୦ ‘ସେଡାନ’ ଇଲେକ୍ଟ୍ରିକ୍‌ କାର କିଣିବେ। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟି କିଣା ଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ୯୦୦୦ କାର୍ କିଣାଯିବ। ଏଥିପାଇଁ ଦିଲ୍ଲୀ ଓ ଏନ୍‌ସିଆର୍ ଅଞ୍ଚଳରେ ୪୦୦୦ ଚାର୍ଜିଂ ସେଣ୍ଟର ନିର୍ମାଣ କରାଯିବ।

କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି ଯେ ଏଥିପାଇଁ ଟେଣ୍ଡର ଡକା ଯାଇଛି। ଖୁବ୍‌ଶୀଘ୍ର ଏହି ଯୋଜନାକୁ ସରକାରୀ ବିଭାଗ ଗୁଡ଼ିକରେ ଆରମ୍ଭ କରାଯିବ।

Energy Efficiency Services Ltd (EESL) ର ଏମ୍‌ଡି ସୌରଭ କୁମାର କହିଛନ୍ତି ଯେ କମ୍ପାନୀ ଖୁବ୍‌ଶୀଘ୍ର ୧୦୦୦ଟି ଚାରି ସିଟ୍ ବିଶିଷ୍ଟ ଇଲେକ୍ଟ୍ରିକ୍‌ କାର୍ କିଣିବ। ଏଗୁଡ଼ିକର ବେଗ ଘଣ୍ଟା ପ୍ରତି ୧୨୦ ରୁ ୧୫୦ କିଲୋମିଟର ରହିବ। ନୂଆଦିଲ୍ଲୀ ମ୍ୟୁନିସିପାଲିଟି ଅଞ୍ଚଳରେ ଏଥିରୁ ୩୦୦ ରୁ ୪୦୦ଟି କାର୍ ଚାଲିବ। ମନ୍ତ୍ରୀ ଓ ଅଫିସରଙ୍କୁ ଏହି ଗାଡ଼ି ଦିଆଯିବ।

ଏକ ରିପୋର୍ଟ ଅନୁସାରେ ବିଶ୍ୱରେ ବର୍ତ୍ତମାନ ମାତ୍ର ଏକ ପ୍ରତିଶତ ଇଲେକ୍ଟ୍ରିକ କାର୍‌ ଚାଲୁଛି। ୨୦୨୫ ବେଳକୁ ଏହି ସଂଖ୍ୟା ୨୦ ପ୍ରତିଶତରେ ପହଞ୍ଚିପାରିବ। ସେହିଭଳି ୨୦୩୦ ସୁଦ୍ଧା ଏହି ସଂଖ୍ୟା ୩୦ ପ୍ରତିଶତରେ ପହଞ୍ଚି ଯିବ।

ଯଦି ସରକାର ନିଜ ଲକ୍ଷ୍ୟ ଅନୁସାରେ ଇଲେକ୍ଟ୍ରିକ୍ କାର ଚଳାଇବାର ଫର୍ମୁଲାରେ ସଫଳ ହୁଅନ୍ତି ତା’ହେଲେ ଦେଶର ୫୩ ହଜାର ପେଟ୍ରୋଲ୍‌ ପମ୍ପ ଉପରେ ଏହାର ପ୍ରଭାବ ପଡ଼ିବ।