ମୋହନ ଗୋସ୍ୱାମୀଙ୍କୁ ଅଶୋକଚକ୍ର ପ୍ରଦାନ

ashokchakraନୂଆଦିଲ୍ଲୀ: ୬୭ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମଙ୍ଗଳବାର ଲାନ୍ସ ନାଏକ ମୋହନ ନାଥ ଗୋସ୍ୱାମୀଙ୍କୁ ମରୋଣୋତ୍ତର ଭାବେ ଅଶୋକଚକ୍ର ପ୍ରଦାନ କରାଯାଇଛି। ତାଙ୍କ ପତ୍ନୀ ଭାବନା ଗୋସ୍ୱାମୀ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଅଶୋକଚକ୍ର ହେଉଛି ଦେଶରେ ଶାନ୍ତିସମୟରେ ଦିଆଯାଉଥିବା ସର୍ବୋଚ୍ଚ ସାହାସିକତା ପୁରସ୍କାର।

ଗତ ବର୍ଷ ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ ସହିଦ ହୋଇଥିଲେ ମୋହନ ନାଥ ଗୋସ୍ୱାମୀ। ସେଦିନ ଥିଲା ସେପ୍ଟେମ୍ବର ୨, ୨୦୧୫। ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲା ଅନ୍ତର୍ଗତ ହାପରୁଦା ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହିତ ଯବାନଙ୍କର ଗୁଳି ବିନିମୟ ହୋଇଥିଲା। ସେହି ଟିମରେ ମୋହନ ନାଥ ଗୋସ୍ୱାମୀ ବି ଥିଲେ। ଗୁଳିବିନିମୟ ବେଳେ ତାଙ୍କର ଦୁଇ ଜଣ ସାଥୀ ଆହତ ହୋଇଥିଲେ। ଆଖିବୁଜା ଗୁଳି ବିନିମୟ ଚାଲିଥିବା ସତ୍ତ୍ୱେ ସେ ତୁରନ୍ତ ଆହତ ଦୁଇ ଯବାନଙ୍କୁ ଉଦ୍ଧାର କରି ଥିଲେ। ଏଥିରେ ସେ ବି ଆହତ ହୋଇଥିଲେ। ତାଙ୍କ ଶରୀରେ ବି ଗୁଳି ବାଜିଥିଲା। ତେବେ ସହିଦ ହେବା ପୂର୍ବରୁ ସେ ୨ ଜଣ ଆତଙ୍କବାଦୀଙ୍କୁ ମାରିବା ସହିତ ନିଜର ଦୁଇ ଜଣ ସାଥୀଙ୍କ ଜୀବନ ବଂଚାଇ ଥିଲେ। ମୋହନ ନାଥ ଗୋସ୍ୱାମୀ ଯେଉଁ ଟିମର ସଦସ୍ୟ ଥିଲେ ସେହି ଟିମ୍  କାଶ୍ମୀର ଘାଟିରେ ୧୧ ଦିନରେ ୧୦ ଆତଙ୍କୀଙ୍କୁ ମାରିଥିଲା।

ଆଜି ଦିଲ୍ଲୀରେ ରାଜପଥରେ ପାଳନ କରାଯାଇଥିବା ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାଁସ୍ୱା ଓଲାନ୍ଦ। ସେହିପରି ଉପ-ରାଷ୍ଟ୍ରପତି ହମିଦ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ତିନି ସେନାର ମୁଖ୍ୟ, ଅନ୍ୟମନ୍ତ୍ରୀ, କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଭାଜପା ସଭାପତି ଅମିତ ଶାହ ଓ ଅଧିକାରୀ ତଥା ସାଧାରଣ ଲୋକ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ପରେଡରେ ଭାରତୀୟ ସେନା ତାର ଶକ୍ତି ପ୍ରଦର୍ଶନ କରିଥିଲା।