କୁଆଡ଼େ ଗଲା ଯୋଗୀଙ୍କ ଆଣ୍ଟି ରୋମିଓ ସ୍କ୍ୱାଡ୍‌? ୨ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରି ଅନ୍‌ଲାଇନ୍‌ରେ ଭିଡିଓ ଛାଡ଼ିଲେ ୧୪ ରାକ୍ଷସ

ନୂଆଦିଲ୍ଲୀ:  ଚାରିଆଡୁ ଘେରି ରହିଛନ୍ତି ନର ରାକ୍ଷସ। ମଝିରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି ଦୁଇ ଯୁବତୀ। ନିଜକୁ ଏହି ରାକ୍ଷସଙ୍କ ଠାରୁ ମୁକୁଳାଇବାକୁ ବେଶ୍ କସରତ କରୁଛନ୍ତି ସେମାନେ। ଦେହର ଭୋକ ମେଣ୍ଟାଇବାକୁ ବିଚ୍ ରାସ୍ତାରେ ଜୋର ଜବରଦସ୍ତ ଟେକି ନେଉଛନ୍ତି ଯୁବତୀଙ୍କୁ। ଟିକିଏ ବି ଖାତିର୍ ନାହିଁ ଆଇନ୍‌କୁ।  ଏଭଳି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହୁଥିବା ଉତ୍ତରପ୍ରଦେଶ ପୁଣି ଥରେ ଆସିଛି ଚର୍ଚ୍ଚାର ପରିସରକୁ। ରାମଜନ୍ମ ଭୂମିରେ ସୀତାଙ୍କ ଦେହରେ ପୁଣି ଲାଗିଛି ଦାଗ। ଗେରୁଆ ଶାସନରେ ପଡ଼ିଛି କଳା ଛିଟା। ଯୋଗୀଙ୍କ ଶାସନରେ ଆରମ୍ଭ ହୋଇଛି ଗୁଣ୍ଡାରାଜ୍। ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ନିଲାମ୍ ହେଉଛି ଝିଅଙ୍କ ଇଜ୍ଜତ। ଉତ୍ତରପ୍ରଦେଶର ରାମପୁରର ଅଞ୍ଚଳରେ ଦୁଇ ଯୁବତୀ ରାସ୍ତାରେ ଯାଉଥିବା ବେଳେ ୧୪ ଜଣ ନର ରାକ୍ଷସଙ୍କ ଲୋଲୁପ ଦୃଷ୍ଟିରେ ପଡିଥିଲା। ରାସ୍ତା ଉପରୁ ଯୁବତୀଙ୍କୁ ଟେକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏପରିକି ଜଣେ ରାକ୍ଷସ ଯୁବତୀଙ୍କୁ ଟେକି ନେଉଥିବା ବେଳେ ଅନ୍ୟ ଜଣେ ଏହାର ଭିଡିଓ ରେର୍କଡିଂ କରୁଥିଲା। ନିଜ ଇଜ୍ଜତ ବଞ୍ଚାଇବାକୁ ଦୁଇ ଯୁବତୀ ଯେତେ କାକୁତି ମିନତି ହେଲେ ମଧ୍ୟ କାହାରି ବି ଟିକିଏ ଦୟା ଆସି ନ ଥିଲା ଏ ଦୁହିଁଙ୍କ ଉପରେ। ଯୁବତୀ ମା’ଭଉଣୀର ଦ୍ୱାହି ଦେଇଥିଲେ ମଧ୍ୟ ଏଥିପ୍ରତି କର୍ଣପାତ କରି ନ ଥିଲେ ମଣିଷ ରୂପି ରାକ୍ଷସମାନେ।

ଏହି ଘଟଣା ଯୋଗୀ ସରକାର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାହା ଯୋଗୀ ଶାସନରେ ଉତ୍ତରପ୍ରଦେଶର ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି। ଏହି ସ୍ପର୍ଶକାତର ଘଟଣା ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଅଳ୍ପ କିଛି ଦିନ ମଧ୍ୟରେ ଯୋଗୀ ଗଠନ କରିଥିବା ଆଣ୍ଟି ରୋମିଓ ସ୍କ୍ୱାଡ୍‌ର ବିଫଳତା ପଦାରେ ପଡିଛି। ତେବେ ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଥିବା ବେଳେ ବାକି ଅଭିଯୁକ୍ତ ଫେରାର୍ ଅଛନ୍ତି।

ସୌଜନ୍ୟ-ସ୍କୁପ୍‌ହୁପ୍‌

ଭିଡିଓ-ପତ୍ରିକା