ବିମୁଦ୍ରାକରଣ ଭଳି ସ୍ଥିତି, ୫ ଗୁଣା ଅଧିକ ୫୦୦ ଟଙ୍କିଆ ଛପା ହେବ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ବିମୁଦ୍ରାକରଣ ଭଳି ସ୍ଥିତି ପୁଣି ଉପୁଜିଛି। ଏଟିମ୍‌ରେ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଯୁଆଡେ ଗଲେ ନିରାଶ ହୋଇ ଫେରିବାକୁ ପଡୁଛି। ଏଟିଏମ୍‌ ‌ଗୁଡ଼ିକ ଖାଲି ପଡ଼ିଛି। ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ବିହାରରେ ସ୍ଥିତି ଗୁରୁତର। ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ଏହାର ପ୍ରଭାବ । ଅନେକ ଏଟିଏମ୍‌ରୁ ଟଙ୍କା ବାହାରୁ ନାହିଁ।

ଏହି ସମସ୍ୟା ଅନେକ ଦିନ ହେଲାଣି ଲାଗି ରହିଥିଲା ବେଳେ କାଲି ହଠାତ୍‌ ସାରା ଦେଶରେ ଟଙ୍କାର ଅଭାବ ଦେଇଥିଲା। ଟଙ୍କାକୁ ନେଇ ପରିସ୍ଥିତି ଗମ୍ଭୀର ହୋଇ ପଡ଼ିବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସଫେଇ ଦେଇଛନ୍ତି। ସେ କହିଛନ୍ତି, ଦେଶରେ ନଗଦ ଟଙ୍କାର କୌଣସି ଅଭାବ ନାହିଁ। ଏଟିଏମ୍‌ଗୁଡ଼ିକ ଖାଲି ରହିବା ଏକ ସାମୟିକ ସମସ୍ୟା। ଏହା ଶୀଘ୍ର ଦୂର ହୋଇଯିବ। ବଜାରରେ ଓ ବ୍ୟାଙ୍କ ପାଖରେ ପର୍ଯ୍ୟାନ୍ତ ପରିମାଣର ଟଙ୍କା ରହିଛି। ଦେଶର କିଛି ପ୍ରାନ୍ତରେ ହଠାତ ଟଙ୍କା ଚାହିଦା ବଢ଼ିଯାଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଏହି ସମସ୍ୟା ବିଷୟରେ ମତ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ କୁହାଯାଇଛି ଯେ, ଚଳିତ ମାସ ୬ ତାରିଖରେ ବଜାର ପ୍ରଚଳନରେ ଥିବା ଟଙ୍କା ପରିମାଣ ହେଉଛି ୧୮ ଲକ୍ଷ ୧୭ ହଜାର କୋଟି । ବିମୁଦ୍ରାକରଣ ପରେ ୫ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ଛପା ହୋଇଥିଲା। ଏହା ପରେ ଏହି ନୋଟ୍‌ ଛପା ବନ୍ଦ କରି ଦିଆଯାଇଥିଲା। ବ୍ୟାଙ୍କଗୁଡ଼ିକ ଭାବୁଛନ୍ତି ଯେ, ଲୋକମାନେ ଦୁଇ ହଜାର ଟଙ୍କିଆ ଗୁଡ଼ିକୁ ନେଇ ମହଜୁଦ ରଖିଛନ୍ତି। ସେଥିପାଇଁ ସେଗୁଡ଼ିକ ବଜାରକୁ ଆସୁନାହିଁ। ସରକାର ସାରା ଦେଶରେ ଏଟିଏମ୍‌ ସ୍ଥିତିର ଅନୁଧ୍ୟାନ କରିଛନ୍ତି। କିଛି ଅଞ୍ଚଳରେ ଏଟିଏମ୍‌ ଫାଙ୍କା ରହୁଥିବା ଜଣାପଡ଼ିଛି। ହଠାତ ଟଙ୍କା ଚାହିଦା ବଢ଼ିଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛି ଅର୍ଥ ମନ୍ତ୍ରଣାଳୟ। ଲୋକଙ୍କ ଚାହିଦା ପୂରଣ କରିବା ପାଇଁ ୫୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍‌ ଛପା ହେଉଛି। ୫୦୦ ଟଙ୍କିଆ ନୋଟ୍‌ ଛପାଇବା କାର୍ଯ୍ୟ ୫ ଗୁଣା ବଢ଼ାଇ ଦିଆଯାଇଛି।