ଏଣିକି ୟୁ-ଟ୍ୟୁବ୍‌ ଚ୍ୟାନେଲରେ ପଇସା କମାଇବା ସହଜ ନୁହଁ, ନିୟମ ବଦଳେଇ ଦେଲା କମ୍ପାନୀ

ନୂଆଦିଲ୍ଲୀ: ୟୁ-ଟ୍ୟୁବ୍‌ ମାଧ୍ୟମରେ ଅର୍ଥ ରୋଜଗାର ଏବେ ଆଉ ସହଜ ହେବନି। ଏଥିପାଇଁ କମ୍ପାନୀ ପକ୍ଷରୁ କିଛି ନିୟମ ପରିବର୍ତ୍ତନ କରାଯାଇଛି।  ଏହି ନୂଆ ନିୟମ ମୁତାବକ ଏବେ ବିଜ୍ଞାପନ ପାଇବାକୁ ହେଲେ ଚାନେଲ ଓ ଏହାର ଆଡମିନକୁ ଅଧିକ ସବ୍‌ସ୍କ୍ରାଇବର ଦେଖାଇବାକୁ ପଡ଼ିବ। ଏବେ ସେହି ୟୁ-ଟ୍ୟୁବ୍‌ ଚ୍ୟାନେଲକୁ ଅଧିକ ବିଜ୍ଞାପନ ମିଳିବ, ଯାହା ପାଖରେ ପାଖାପାଖି ୧୦୦୦ରୁ ଊର୍ଦ୍ଧ୍ୱ ସବ୍‌ସ୍କ୍ରାଇବର ଥିବେ ଏବଂ ୧୨ ମାସରେ ୪୦୦୦ ଘଣ୍ଟା ପର୍ଯ୍ୟନ୍ତ  ଭିଡିଓ ଭ୍ୟୁ ହୋଇଥିବ।

ଏହା ପୂର୍ବରୁ କମ୍ପାନୀ ସର୍ବନିମ୍ନ ଭ୍ୟୁ ୧୦ ହଜାର ଭିତରେ ସୀମିତ ରଖିଥିଲା। ଅର୍ଥାତ ସର୍ବନିମ୍ନ ୧୦ ହଜାର ଲୋକ ଗୋଟିଏ ଭିଡିଓକୁ ନଦେଖିଥିଲେ ସେମାନେ ବିଜ୍ଞାପନ ପାଇବାକୁ ଯୋଗ୍ୟ ହେଉ ନଥିଲେ। ତେବେ ଏହି ନୂଆ ନିୟମକୁ କମ୍ପାନୀ ପକ୍ଷରୁ ଆସନ୍ତା ଫେବୃଆରୀ ୨୦ରୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି। ଅର୍ଥାତ ଯେଉଁ ଆଡମିନମାନଙ୍କର ୨୦ ଫେବୃଆରୀ ସୁଦ୍ଧା ୪ ହଜାର  ଘଣ୍ଟାର ଭ୍ୟୁ ନ ଥିବ ଏବଂ ୧୦୦୦ରୁ ଅଧିକ ସବ୍‌ସ୍କ୍ରାଇବର ନଥିବେ ସେମାନଙ୍କୁ ଆଉ ବିଜ୍ଞାପନ ମିଳିବ ନାହିଁ। ତେବେ ପୂର୍ବରୁ ୧୦୦୦ରୁ କମ୍‌ ସବ୍‌ସ୍କ୍ରାଇବର ଥିବା ଆଡମିନ୍‌ ତଥା କ୍ରିଏଟରମାନେ ବହୁ ଅର୍ଥ ରୋଜଗାର କରିପାରୁ ଥିଲେ। ଏବେ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ ପାଇଁ ଥିବା ମାନଦଣ୍ଡରେ କିଛି ପରିବର୍ତ୍ତନ କରାଯାଇଛି। ସେହିପରି କମ୍ପାନୀ ପକ୍ଷରୁ ଏଥର କପିରାଇଟ୍‌ ଆକ୍ଟକୁ କଡ଼ାକଡ଼ି ନିଘା ରଖାଯିବ ବୋଲି କୁହାଯାଇଛି। ଯେଉଁ ଆଡମିନ୍‌ ତଥା ଚାନେଲ କ୍ରିଏଟରମାନେ ଯଦି କୌଣସି ଭିଡିଓକୁ କପି କରୁଛନ୍ତି ତେବେ ତାଙ୍କ ଚାନେଲକୁ ରଦ୍ଦ କରିଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଚେତାବନୀ ଦିଆଯାଇଛି।