ଆରପିଏଫ୍‌ ମୁଖ୍ୟଙ୍କୁ ପାଠ ପଢ଼ାଇଲା ଇ-ଟିକେଟ୍‌ ରାକେଟ୍‌ର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ବହୁକୋଟି ଟଙ୍କାର ରେଲୱେ ଇ-ଟିକେଟିଂ ଠକେଇ ମାମଲାରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଏହି ରାକେଟ୍‌ର ମାଷ୍ଟର ମାଇଣ୍ଡ ଆରପିଏଫ୍‌ ମୁଖ୍ୟଙ୍କୁ କହିଛି ରେଲୱେର ଆଇଟି ସୁକ୍ୟୁରିଟି ବ୍ୟବସ୍ଥାରେ ସମସ୍ୟା ରହିଛି।

ବର୍ତ୍ତମାନ ଦୁବାଇରେ ରହୁଥିବା ମୁଖ୍ୟ ଅଭିଯୁକ୍ତ ହମିଦ ଅଶ୍ରଫ୍‌ କହିଛି, ତାକୁ ବା ଅନ୍ୟ କାହାକୁ ଧରିନେଲେ ଏଭଳି ରାକେଟ୍‌ର ଅନ୍ତ ଘଟିବନି। କାରଣ ଅନ୍ୟ କେହି ମଧ୍ୟ ସେହିଭଳି ବେଆଇନ ସଫ୍ଟୱେର ବନାଇ ଆଇଆରସିଟିସି ବ୍ୟବସ୍ଥାରେ ରହିଥିବା ତ୍ରୁଟିର ଫାଇଦା ନେଇପାରିବ।

ସୂଚନାଯୋଗ୍ୟ ଯେ, ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଗୁଲାମ ମୁସ୍ତାଫାକୁ ଗିରଫ କରିବାପରେ ଆରପିଏଫ୍‌ ଏବେ ଅଶ୍ରଫ୍‌କୁ ଧରିବାକୁ ପ୍ରୟାସ ଜାରି ରଖିଛି। ୨୦୧୬ ମସିହାରେ ଅଶ୍ରଫ୍‌ ଦେଶ ଛାଡ଼ି ପଳାଇଛି। ସେ ପ୍ଲସ୍‌ ଟୁରେ ପଢ଼ୁଥିବାବେଳେ ହିଁ ସମାନ ଏକ ଟିକେଟିଂ ଫ୍ରଡ୍‌ରେ ଫଶିଥିଲା। ତାକୁ ପୁଲିସ୍‌ ଗିରଫ କରିଥିଲା।

ବିଭିନ୍ନ ହ୍ୱାଟ୍ସଆପ୍‌ ବ୍ରଡକାଷ୍ଟ ଯୋଗେ ଅଶ୍ରଫ୍‌ ଦାବି କରିଛି, ସେ ସେଣ୍ଟର ଫର ରେଲୱେ ଇନଫର୍ମେସନ୍‌ ସିଷ୍ଟମ୍ସ ଦ୍ୱାରା ବିକଶିତ ଆଇଟି ସିକ୍ୟୁରିଟି ସିଷ୍ଟମ୍‌ରେ ତ୍ରୁଟି ବିଚ୍ୟୁତି ଅଛି। ଏହି ବ୍ୟବସ୍ଥାକୁ ଆଇଆରସିଟିସି ବ୍ୟବହାର କରୁଛି। ତେବେ ଅଶ୍ରଫ୍‌ କହିଛି, “ଏଥିରେ ରହିଥିବା ସମସ୍ୟାକୁ ଦୂର ନକରି ମୋତେ କାହିଁକି ଦାୟୀ କରାଯାଉଛି? ଲୋକେ ମୋ ତଥ୍ୟ ପାଇଁ ଟଙ୍କର ଦେଇନାହାନ୍ତି। ସେମାନେ ଭାବୁଥିଲେ ମୁଁ ପାଗଳ।”

ଆରପିଏଫ୍‌ ଡିଜି ଅରୁଣ କୁମାରଙ୍କୁ ସେ ଟେକ୍ସଟ୍‌ ମେସେଜ୍‌ କରି ଏପରି ଲେଖିଛି। ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ କୁମାର କହିଥିଲେ, ଏହି ଟଙ୍କା ଆତଙ୍କବାଦରେ ଲାଗିଥାଇପାରେ। ତେବେ ଏହାର ପ୍ରତିକ୍ରିୟାରେ ଅଶ୍ରଫ୍‌ ଲେଖିଛି, “ତୁମେ ଯଦି ଟିଭିରେ ଏମିତି ଇଣ୍ଟରଭ୍ୟୁ ଦେବ, ମୋତେ କେହି ମଧ୍ୟ ବାହା ହେବେନି।”