ମୌସୁମୀ ସକ୍ରିୟ: ଓଡ଼ିଶାରେ ଲଘୁଚାପ ବର୍ଷା

ନୂଆଦିଲ୍ଲୀ: ମୌସୁମୀ ସକ୍ରିୟ। ଦେଶରେ ଅଧିକାଂଶ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁସାରିଛି। ମହାରାଷ୍ଟ୍ର, କର୍ଣ୍ଣାଟକ  ଏବଂ ପଶ୍ଚିମବଙ୍ଗକୁ ଆଗୁଆ ମୌସୁମୀ ଛୁଇଁସାରିଛି। ସେପଟେ ଓଡ଼ିଶାକୁ ମୌସୁମୀ  ଛୁଇଁ ନ ଥିଲେ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷା ପ୍ରଭାବରେ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ (ଆଇଏମଡି) ଏହି ସୂଚନା ଦିଆଯାଇଛି।  ତେବେ ଓଡ଼ିଶା ସମେତ ଦେଶର ଅନ୍ୟ ଅଞ୍ଚଳକୁ ମୌସୁମୀ ଛୁଇଁବାର ଅନୁକୋଳ ସ୍ଥିତି ସୃଷ୍ଟି ହୋଇସାରିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏଥର ଦୁଇଦିନ ଆଗରୁ କେରଳକୁ  (ମେ ୩୦) ମୌସୁମୀ ଛୁଇଁଥିଲା। ତେବେ ଏଥର ଚାଷୀଭାଇଙ୍କ ପାଇଁ ମଧ୍ୟ ମୌସୁମୀ ଶୁଭ ସାବ୍ୟସ୍ତ ହେବ ବୋଲି କୁହାଯାଇଛି। କାରଣ ଚଳିତ ବର୍ଷ ଏଲ୍‌ନିନୋ ଭୟ ନ ଥିବା ବେଳେ ସ୍ୱାଭାବିକ୍‌ ଠାରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।